କେନ୍ଦ୍ରାପଡ଼ା, ୨୪/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ଜାନୁଆରୀ ୯ ତାରିଖ ଠାରୁ ଖରିଫ୍ ଧାନ କିଣା ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଚାଷୀଙ୍କ ବୃହତର ସ୍ୱାର୍ଥ ଉପରେ ଗୁରୁତ୍ୱ ଦେବା ସହ ମଣ୍ଡିରେ ମୌଳିକ ସମସ୍ୟା ଦୂର କରିବାପାଇଁ ପରାମର୍ଶ ଦିଆଯାଇଛି । ଟୋକନ ପାଇଥିବା ଚାଷୀ ଧାନ ବିକ୍ରି ନ କରି ଯେମିତି ଫେରି ନ ଯିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ତାଲିମ ପ୍ରଦାନ ସହିତ ସଚେତନତାକୁ ବ୍ୟାପକ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । କଟିନୀ ଛଟନୀ ନ କରିବା ଏବଂ ମିଲରମାନେ ଚାଷୀଙ୍କୁ ସହଯୋଗ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଜିଲାରେ ଧାନକିଣାରେ ମୋଟ ୧୧୮ଟି ପ୍ୟାକ୍ସ ଅଂଶଗ୍ରହଣ କରିବେ । ମୋଟ ୫୨ହଜାର ୯୨ ଜଣ ଚାଷୀ ଖରିଫ୍ ଧାନ ପାଇଁ ପଞ୍ଜିକରଣ କରିଛନ୍ତି ।
ଜିଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲା ପରିଷଦ ସଭାପତି ଲିଲିତା ଦାସ, ଅତିରିକ୍ତ ଜିଲାପାଳ(ସାଧାରଣ )ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ, ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଜିଲା ସ୍ତରୀୟ ଅଧିକାରୀ ଓ ସମସ୍ତ ମିଲର, ଡିଆରସିଏସ ଏବଂ ଯୋଗାଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
