ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ଗୋଶାଳାଗୁଡ଼ିକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ

ପଞ୍ଜୀକୃତ ୬୬ଟି ଗୋଶାଳାକୁ ୮.୯୬ କୋଟି ଟଙ୍କାର ସହାୟତା

୧୩ଟି ନୂତନ ଗୋଶାଳା ଓ ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଭୁବନେଶ୍ୱର, ୨୨/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯନି ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଉଛି । ଆମ ସମାଜରେ ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ସେମାନଙ୍କ ପାଇଁ ନୂତନ ଗୋଶାଳା ପ୍ରତିଷ୍ଠା ସକାଶେ ମଧ୍ୟ ସହାୟତା ପ୍ରଦାନ କରାଯାଉଛି । ଗୋଶାଳାରେ ଅସହାୟ ଗୋରୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗୋବର ବ୍ୟବହାରକ୍ରମେ ଜିଆଖତ ଉତ୍ପାଦନ ସକାଶେ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସହାୟତା ପ୍ରଦାନ କରାଯାଉଛି । ଗୋଶାଳା ଓ ଗୋଧନ କେନ୍ଦ୍ରଗୁଡ଼ିକ ରାଜ୍ୟରେ ପ୍ରାଣୀକଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଲ୍ଲେଖ କରିଛନ୍ତି । ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସ୍ୱାମୀନାଥନ୍‌ ହଲ୍‌ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗଦେଇ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ସହାୟତା ରାଶି ବିତରଣ କରିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନା ଏକ ଦୟାଳୁ ଓ ସମାବେଶୀ ସମାଜ ଗଠନ ନିମନ୍ତେ ପ୍ରତିବଦ୍ଧ । ଏହା ଦ୍ୱାରା ରାଜ୍ୟର ଗୋଶାଳା ଓ ଗୋପାଳକମାନେ ଉପକୃତ ହୋଇପାରିବେ । କାର୍ଯ୍ୟକ୍ରମରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ଯ୍ୟାୟ ସହାୟତା ରୂପେ ୮.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ଭାବରେ ପ୍ରାୟ ୨୦ ହଜାର ଅସହାୟ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯାଇପାରିବ । ସେହିପରି ନୂତନ ଗୋଶାଳା ପ୍ରତିଷ୍ଠା ନିମନ୍ତେ ୧୩ଟି ପ୍ରାଣୀକଲ୍ୟାଣ ସଂସ୍ଥାଙ୍କୁ ପ୍ରାୟ ୧୩୦୦ ଅସହାୟ ଗୋରୁଙ୍କ ଥଇଥାନ ପାଇଁ ଗୋଶାଳା ନିର୍ମାଣ ସକାଶେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ନୂତନ ଗୋଶାଳାଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେମାନଙ୍କୁ ପ୍ରାୟ ୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ସେହିପରି ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ୪୭ଟି ଗୋଧନ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ୨.୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ଏବଂ ବାର୍ଷିକ ପ୍ରାୟ ୩ ହଜାର ଟନ ଜିଆଖତ ଉତ୍ପାଦନ ହୋଇପାରିବ । ଏହା ମାଧ୍ୟମରେ ରାଜ୍ୟର ଗୋଶାଳା ଏବଂ ଗୋପାଳକମାନେ ଲାଭବାନ ହୋଇପାରିବେ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜର, ରାଜ୍ୟର ବିଭିନ୍ନ ପ୍ରାଣୀକଲ୍ୟାଣ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ସରକାରୀ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

-0-

ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *