ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ପ୍ରେସ କ୍ଲବର ବାର୍ଷିକ ଉତ୍ସବ ପାଳିତ

ନିମାପଡ଼ା,୨୦/୧୧/୨୦୨୫ (ଓଡ଼ିଶା ସମାଚାର)- ନିମାପଡ଼ା ପ୍ରେସ କ୍ଲବ ଏବଂ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଜାତୀୟ ପ୍ରେସ ଦିବସ ଓ ପ୍ରେସ କ୍ଲବର  ଦ୍ବିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ମୁକ୍ତାକାଶ ମଞ୍ଚରେ ୨ ଦିନ ଧରି ଖୁବ୍ ଜାକଜମକରେ ପାଳିତ ହୋଇଯାଇଛି। ରବିବାର ଉଦଘାଟନୀ ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଉକ୍ତଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୁଷଣ କର, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ସାମ୍ବାଦିକଙ୍କ ଭୁମିକା ଓ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ସମାରୋହରେ ପ୍ରେସ କ୍ଲବର ସଭାପତି ଅକ୍ଷୟ କୁମାର ବେହେରା ଅଧ୍ୟକ୍ଷତା କରି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରମାକାନ୍ତ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସ୍ମରଣିକା ଆମ ସ୍ବାଭିମାନ ଆମ ନିମାପଡ଼ା ଉନ୍ମୋଚନ ହୋଇ ଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୁବ ଚିକିତ୍ସକ ଡଃ ଆଶୁତୋଷ ଜେନା, ପ୍ରେସକ୍ଲବର ପ୍ରତିଷ୍ଠାତା ସଭ୍ୟ ପ୍ରତାପ ମହାନ୍ତି, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଶରତ ସେନାପତି, ସମାଜସେବା କ୍ଷେତ୍ରରେ ବିକ୍ରମ କେଶରୀ ସାମଲ , ଦିଲ୍ଲୀପ ସାହୁ, କ୍ରୀଡ଼ା କ୍ଷେତ୍ରରେ ବିଜୟଲକ୍ଷ୍ମୀ ବାରିକ,କୋଚ ଚନ୍ଦ୍ର ମୋହନ ମିଶ୍ର, ପରିମଳ କ୍ଷେତ୍ରରେ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟାଳୟ ଡାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ ଏବଂ ପରେପରେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଓ ଗୃପର ମେଲୋଡି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଦ୍ଵିତୀୟ ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭାଜପା ମୁଖପାତ୍ର ସମୀର ରଞ୍ଜନ ଦାଶ, ମୁଖ୍ୟବକ୍ତା କମ୍ୟୁନିଷ୍ଟ ନେତା ଦେବେନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ନରେନ୍ଦ୍ର ଦାସ, ପୂର୍ବତନ ନଗର ସଭାପତି ଅରୁଣ ପ୍ରସାଦ ଦାସ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ପ୍ରମୁଖ ଯୋଗଦେଇ ଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଗଣମାଧ୍ୟମର ଦାୟିତ୍ୱ, ସମାଜ ପ୍ରତି କର୍ତ୍ତବ୍ୟ ଏବଂ ସାମ୍ବାଦିକର ମୌଳିକ ସମସ୍ୟା ଉପରେ ବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ନିମାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନୃତ୍ୟାଳୟାର କଳାକାର, ସ୍ବେଛାସେବୀ ଅନୁଷ୍ଠାନ ସେଲ୍ଫ ଏମପାୱାରମେଣ୍ଟ ଏବଂ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଭ୍ୟା ଜାଇତି ଏବଂ ଟ୍ରୁପ ଦ୍ୱାରା ପରିବେଷିତ ମେଲୋଡି଼ ଧମାକା ବେଶ ଆକର୍ଷଣୀୟ ହୋଇଥିଲା।

Leave a Reply

Your email address will not be published. Required fields are marked *