ଜାତୀୟ ତମାଖୁ ବର୍ଜନ କାର୍ଯ୍ୟକ୍ରମ

ଜିଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ
କେନ୍ଦ୍ରାପଡ଼ା, ୧୭/୧୦/୨୦୨୫(ଓଡ଼ିଶା ସମାଚାର)- ଧୂମପାନ ବା ତମାଖୁ ବ୍ୟବହାର କୁପରିଣାମ ଏବଂ ଏହାର ନିୟନ୍ତ୍ରଣ କରିବା ନିମନ୍ତେ ଶୁକ୍ରବାର ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ଜିଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ଶିକ୍ଷାନୁଷ୍ଠାନର ଏକଶହ ମିଟର ପରିଧିଭିତରେ ତମାଖୁ ବିକ୍ରୟ ଉପରେ ରୋକ ଲଗେଇବା, ବ୍ୟାପକ ସଚେତନତା କରିବା, ଚଢାଉକୁ ଜୋରଦାର କରିବା, ନିୟମ ଖିଲାପକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ତମାଖୁ ମୁକ୍ତ ଗ୍ରାମ ଏବଂ ପଂଚାୟତ ସୃଷ୍ଟି କରିବା ।

ବ୍ଲକସ୍ତରୀୟ କମିଟି ଗଠନ ସହିତ ତମାଖୁକୁ ବର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ତାଙ୍କ ଅଭିଜ୍ଞତାକୁ ଲୋକଙ୍କ ପାଖରେ ପହଂଚାଇବା, ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ୱତନ୍ତ୍ର ସଚେତନତା ସୃଷ୍ଟି କରିବା ଇତ୍ୟାଦି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ଏଥିସହିତ ବୈଠକରେ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜିଲାପାଳ ।

ଏହି ଅଭିଯାନ ଡିସେମ୍ବର ୯ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଯୁବସମାଜକୁ ତମାଖୁର ଭୟାବହତା ଉପରେ ବ୍ୟାପକ ସଚେତନତା କରାଯିବା ସହିତ ଯୁବସମାଜକୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ଶପଥପାଠ ମଧ୍ୟ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡିଏମଓ ଡା. ପ୍ରମୋଦ କୁମାର ପ୍ରହରାଜ, ଡା. ଶ୍ୟାମସୁନ୍ଦର ଟୁଡୁ, ଡା. ଗୌରାଙ୍ଗ ଚରଣ ମିଶ୍ର, ଡେପୁଟି ମ୍ୟାନେଜର ସୁଶାନ୍ତ ପ୍ରଧାନ, ଡ୍ରଗ ଇନିସପେକ୍ଟର ସୁକାନ୍ତ ସାହୁ, ବିଭିନ୍ନ କଲେଜର କର୍ତୃପକ୍ଷ, ବିଭିନ୍ନ ବିଭାଗୀୟ ଅଧିକାରୀ, ନେଚରର୍ସ କ୍ଲବ୍, ପ୍ରୋଜେକ୍ଟ ସ୍ୱରାଜ୍ୟର ସଭାପତି /ସମ୍ପାଦକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *