ଭୁବନେଶ୍ୱର,୨୦/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତ ନଭେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମିରଟ ସହରରେ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଦ୍ଵାରା ୨୩ ତମ ଜାତୀୟ ସ୍ତରର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହି ବିଜ୍ଞାନ ମେଳାରେ ଶିକ୍ଷା ବିକାଶ ସମିତି, ଓଡ଼ିଶା ପ୍ରଦେଶ ତରଫରୁ କିଶୋର ବର୍ଗରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩,ଖାରବେଳ ନଗର ର ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ ସ୍ଵସ୍ତିକ ପ୍ରଧାନ ଅଂଶ ଗ୍ରହଣ କରି ଭାରତ ବର୍ଷର ପ୍ରତ୍ୟେକ ପ୍ରଦେଶ ରୁ ପ୍ରତିନିଧିତ୍ଵ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ଆମ ଦେଶ,ରାଜ୍ୟ ତଥା ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି।
ଗତକାଲି ଉତ୍ତର ପ୍ରଦେଶରୁ ଫେରିବା ପରେ ଆଜି ତାଙ୍କୁ ବିଦ୍ୟାଳୟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ମାତୃ ଭାରତୀ, ଶିଶୁ ଭାରତୀ,ଗୁରୁଜୀ ଗୁରୁମା ମଣ୍ଡଳୀ,ପରିଚାଳନା ସମିତି,ଅଭିଭାବକ ମଣ୍ଡଳୀ ତଥା ବିଦ୍ୟାଳୟର ଶୁଭେଛୁ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ସ୍ଵସ୍ତିକ ତଥା ତାଙ୍କ ପୂଜ୍ୟ ପିତା ମାତାଙ୍କୁ ତାଙ୍କ ବାସ ଭବନ ରୁ ଘୋଷ ବାଦନ ସହିତ ବିରାଟ ପଟୁଆରରେ ବିଦ୍ୟାଳୟକୁ ଅଣା ଯାଇଥିଲା। ସ୍ଵସ୍ତିକଙ୍କର ପ୍ରୋଜେକ୍ଟ ଟି ଥିଲା ” ବିଦ୍ୟୁତ୍ ସ୍ରୋତରେ ଚୁମ୍ବକର ପ୍ରଭାବ ” । ଏହି ପ୍ରକଳ୍ପ ଦ୍ଵାରା ସ୍ଵସ୍ତିକ ସମାଜକୁ ବାର୍ତ୍ତା ଦେବାକୁ ଚାହାନ୍ତି କି ଉଡାଜାହାଜ ଓ ଟ୍ରେନ୍ ର ଯେଉଁ ସବୁ ମର୍ମନ୍ତୁଦ ଦୁର୍ଘଟଣା ଘଟୁଛି ତାହାର କିଛି ସମୟ ପୂର୍ବରୁ ଚାଳକଙ୍କୁ ଏହି ଦୁର୍ଘଟଣା ସମ୍ବଦ୍ଧରେ ଆଗୁଆ ସୂଚନା ମିଳିପାରିବ। ଯାହାଦ୍ବାରା ଅନେକ ମୂଲ୍ୟବାନ ଜୀବନ କୁ ରକ୍ଷା କରାଯାଇ ପାରିବ।
ଏହି ପ୍ରକଳ୍ପଟି ଉଚ୍ଚସ୍ତରୀୟ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ଥିବାରୁ ସ୍ବସ୍ତିକ ଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ସ୍ଵସ୍ତିକ ଙ୍କ ବାପା ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଜଣେ ପ୍ରାଇଭେଟ୍ କଲେଜର କର୍ମଚାରୀ ଓ ମାତା ଶ୍ରୀମତୀ ସୁମିତା ପ୍ରଧାନ ଗୃହିଣୀ ଅଟନ୍ତି। ସେମାନେ ୟୁନିଟ ୯, ଭୁବନେଶ୍ୱର ରେ ରହନ୍ତି। ସ୍ଵସ୍ତିକ ସେମାନଙ୍କର ଏକମାତ୍ର ପୁଅ ଅଟନ୍ତି।
ସ୍ଵସ୍ତିକ ଙ୍କ ଏହି ସଫଳତା ପାଇଁ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମା ବୃନ୍ଦ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
