ଲୁଣି ପାଣି ଚିଙ୍ଗୁଡି ଘେରୀ ପାଇଁ ଧାନଚାଷ ନଷ୍ଟ, ଜିଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

କେନ୍ଦ୍ରାପଡ଼ା,୦୪/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ରାଜନଗର ବ୍ଲକ ଅନ୍ତର୍ଗତ ବନିପାଳ ଗ୍ରାମର ଅଧିବାସୀମାନେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଂଚଳରେ ଲୁଣାପାଣି ଚିଙ୍ଗୁଡିଘେରୀ ପାଇଁ ଧାନଚାଷ ସଂପୂର୍ଣ୍ଣ ଉଜୁଡି ଯାଉଛି । ତୁରନ୍ତ ଏହାର ପ୍ରତିକାର କରାନଗଲେ ସେମାନଙ୍କ ଜୀବନଜୀବିକା ଏହାଦ୍ୱାରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ସେହି ଗ୍ରାମର କୃଷ୍ଣଗୋପାଳ ସେଠୀ ନାମକ ବ୍ୟକ୍ତି ପ୍ରାୟ ୫ଏକର ଜମିରେ ଲୁଣିପାଣିରେ ଘେରି କରି ୭ବର୍ଷ ହେବ ଚିଙ୍ଗୁଡି ଚାଷ କରି ଆସୁଛନ୍ତି । ଫଳରେ ଚିଙ୍ଗୁଡି ଘେରୀର ଦୁଷିତ ଲୁଣିପାଣି ଓ କେମିକାଲ ମିଶା ପାଣି ସେମାନଙ୍କ ଧାନଚାଷ କିଆରିକୁ ମାଡି ଆସି ପ୍ରତିବର୍ଷ ଫସଲ ନଷ୍ଟ ହେବା ସହିତ ପୋଖରୀର ମାଛକୁ ମଧ୍ୟ ନଷ୍ଟ କରିଦେଉଛି । ଏହାବ୍ୟତିତ ସେମାନେ ଗାଧୋଇବା ଓ ଥାଳିବାସନ ଧୋଇବା କାମ ସେହି ଦୁଷିତ ପାଣିରେ କରିପାରୁନାହାନ୍ତି । ସେହି ଦୁଷିତ ପାଣିର ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ଦେହ ଅସୁସ୍ଥ ହେଉଛି । ସେମାନଙ୍କର ଏକର ଏକର ଜମିର ଧାନ ଚାଷ ନଷ୍ଟ ହେବା ସହିତ ସେମାନେ ଉପରୋକ୍ତ ସମସ୍ୟାରେ ପଡି ହଇରାଣ ହରକତ ହେଉଛନ୍ତି । ଏସମ୍ପର୍କରେ ସେମାନେ ରାଜନଗର ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ବି ଅଦ୍ୟାବଧି କୈାଣସି ସୁଫଳ ମିଳିନାହିଁ । ତେଣୁ ବନିପାଳ ଗ୍ରାମର ଅଧିବାସୀମାନଙ୍କ ପକ୍ଷରୁ ଅଟଳ କୁମାର ସେଠୀ, କନକଲତା ମର୍ଦ୍ଧା, କବିତା ସେଠୀ, କାକଳି ସେଠୀ, ଭାଗବତ ସେଠୀ, ଶିବନାରାୟଣ ମଣ୍ଡଳ, ଦେବକୀ ମଣ୍ଡଳ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *