ଭୁବନେଶ୍ୱର,୨୦/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିର ଉପଯୋଗିତା ନେଇ ଏକ ବୈଠକ ଗତକାଲି ବୁଧବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ରାଜ୍ୟର ଡିଏମଏଫ ଫାଣ୍ଠି ର ମୋଟ ପ୍ରାପ୍ତିର୯୯.୫% ଯୋଗଦାନ ରହିଥିବା ୧୧ଟି ପ୍ରମୁଖ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାରେ ଡିଏମଫ୍ ପାଣ୍ଠି ଉପଯୋଗ ନେଇ ରାଜ୍ୟରୁ ଦିଆଯାଉଥିବା ପ୍ରକଳ୍ପ ସଂପର୍କିତ ସଂପୃକ୍ତ ବିଭିନ୍ନ ବିଭାଗ ର ସଚିବ ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକରେ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ଜିଲ୍ଲା ଗୁଡିକରେ ଡିଏମ୍ଏଫ ପାଣ୍ଠି ସଂଗ୍ରହ ସ୍ଥିତି ଓ ପ୍ରକଳ୍ପ କାର୍ଯ୍ୟକାରିତା ଅନୁସାରେ ଖର୍ଚ୍ଚ ବିନିଯୋଗ, ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ପ୍ରକଳ୍ପ କାର୍ଯ୍ୟକାରିତା ଓ ଖର୍ଚ୍ଚ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଭିନ୍ନ ଜିଲ୍ଲାରେ ପୁନର୍ଗଠିତ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହେବା, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ବିବରଣୀ ଓ ଅଡିଟି ରିପୋର୍ଟ-୨୦୨୪-୨୫ପ୍ରସ୍ତୁତି ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ଡିଏମଏଫ ପାଣ୍ଠି ଉପଯୋଗ ନେଇ ରାଜ୍ୟସ୍ତରୀୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସଂପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ମାନେ ବିଭିନ୍ନ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନେଇ ନିଜ ନିଜର ମତ ରଖିବା ସହ ରହୁଥିବା ସମସ୍ୟାର ସମାଧାନ ସଂପର୍କରେ ପରାମର୍ଶ ଲୋଡିବା ସହ ଆଲୋଚନା କରିଥିଲେ ।ଉନ୍ନୟନ କମିଶନର ଜିଳ୍ଲାପାଳ ମାନଙ୍କୁ ଦାୟିତ୍ୱର ସହ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଏ ନେଇ ନିୟମିତ ସମୀକ୍ଷା କରିବା, ପ୍ରକଳ୍ପ କାର୍ଯ୍ୟକାରିତା ଓ ପାଣ୍ଠି ଉପଯୋଗିତା ସଂପର୍କିତ ସୂଚନା ଅପଡେଟ୍ କରାଯିବା, ଡିଏମଏଫ ପାଣ୍ଠି ଉପଯୋଗରେ ଖଣିଠାରୁ ୫ କିମି ପରିଧି ମଧ୍ୟରେ ଥିବା ଖଣି ପ୍ରଭାବିତ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ସଡ଼କ ନିର୍ମାଣ ଆଦି ଅତ୍ୟାବଶ୍ୟକ ମୌଳିକ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରାଯିବା( ସାଚ୍ୟୁରେସନ ମୋଡ ରେ କରାଯିବା) ଉପରେ ଗୁରୁତ୍ୱ ଦେଇଥିଲେ।
ଉନ୍ନୟନ କମିଶନର କହିଥିଲେ ଯେ, ଡିଏମଏଫ ଜିଲ୍ଲା ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯାଇଛି ଓ କରାଯାଉଛି ।ତେଣୁ ଡିଏମ୍ଏଫ ପାଣ୍ଠିରୁ ଯେପରି କୌଣସି ପ୍ରକଳ୍ପକୁ ଏକାଧିକ ବାର ଦର୍ଶା ନଯାଏ ( ଡ୍ୟୁପ୍ଲିକାସି ନହୁଏ), ସେଥିପ୍ରତି ଜିଲ୍ଲାପାଳ ମାନେ ସ୍ୱତନ୍ତ୍ର ଦୃଷ୍ଟିଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
-0-
ପଠାଣି ରାଉତ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
