ଅକ୍ଷୟଙ୍କ ସଂଗୀତ ପ୍ରତିଭାର କ୍ଷୟ ନାହିଁ
ଭୁବନେଶ୍ୱର,୧୭/୧୧/୨୦୨୫ (ଓଡ଼ିଶା ସମାଚାର)- ପ୍ରଖ୍ୟାତ୍ ସଙ୍ଗୀତଜ୍ଞ ଓ ସାହିତି୍ୟକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସଂଗୀତ ଓ ସାହିତ୍ୟ ପ୍ରତିଭାର କ୍ଷୟ ନାହିଁ । ତାଙ୍କର ଯାଦୁକାରୀ କଣ୍ଠଶ୍ୱର ଓ ସଂଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଂଜନର ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡ଼ିଆ ଜାତି ସେହି ପ୍ରତିଭାର ସଠିକ୍ ମୂଲ୍ୟାୟନ ଏଯାବତ୍ କରିନାହିଁ । ଗୋଟିଏ ଦୁଇଟି ସଂଗୀତ ଗାୟନ କରିଥିବା କଳାକାରମାନେ ଜାତୀୟ ଓ ଆର୍ନ୍ତଜାତୟ ସ୍ତରରେ ସମ୍ମାନିତ ହେଉଥିବା ବେଳେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ । ବାସ୍ତବ ଘଟଣାବଳୀକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା ।
ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ୍ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିରେ ‘କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ରାଜ୍ୟ ବାର୍ କାଉନ୍ସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ଯୁକ୍ତରାଷ୍ଟ୍ର ଆମେରିକା ଅବସ୍ଥାପିତ ଅକ୍ଷୟପ୍ରେମୀ ଶିଳ୍ପଦ୍ୟୋଗୀ ପ୍ରିୟଦର୍ଶୀ ଦାଶ, ମହାବୋଧି ସୋସାଇଟିର ଓଡ଼ିଶା ଶାଖା ମହାସଚିବ ଡ. ସୌରେନ୍ ମହାପାତ୍ର ବରେଣ୍ୟ ଅତିଥି ରୂପେ ଯୋଗଦେଇ ଅକ୍ଷୟଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତଥା ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ଚଳିତ ବର୍ଷର ସମ୍ମାନଜନକ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ବିଶିଷ୍ଟ ସାହିତି୍ୟକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଜଣାଶୁଣା ସଂଗୀତଜ୍ଞ ପ୍ରେମ୍ ଆନନ୍ଦଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା । ଶେଷରେ ଆୟୋଜିତ ମନୋଜ୍ଞ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ଅକ୍ଷୟ ସଂଗୀତ ପରିବେଷଣ କରିଥିଲେ । ଏଥିରେ ଉଦୀୟମାନ ଭାଓଲିନ୍ ବାଦକ ମାଷ୍ଟର ରାକେଶ ବିଶ୍ୱାଳ ଅକ୍ଷୟ ସଂଗୀତର ସ୍ୱର ବାଦନ କରିଥିବା ବେଳେ ଇଂ. ବିଚିତ୍ରାନନ୍ଦ ଦେଓ, ଛନ୍ଦା ମିଶ୍ର, ଆଦ୍ୟାଶା ଦାସ, ପ୍ରତିଭା ପ୍ରଧାନ, ସୁଧାଂଶୁ ଜେନା, ଶୁଭେନ୍ଦୁ ନାୟକ, ଦେବାଂଶୀ ନାୟକ, ତମନ୍ନା ତି୍ରପାଠୀ, ଲିରିକା ସିଂ ପ୍ରମୁଖ ସୁଲଳିତ କଣ୍ଠରେ ସଂଗୀତ ପରିବେଷଣ କରିଥିଲେ । ବାଦ୍ୟଗୁରୁ ଚିନ୍ତାମଣି ମିଶ୍ର ଏହି ସଂଗୀତ ସନ୍ଧ୍ୟାକୁ ସଂଯୋଜନା କରିଥିବା ବେଳେ ଡ. ମୃତୁ୍ୟଞ୍ଜୟ ରଥ ଓ ସଂଯୁକ୍ତା ଦାଶ ଉତ୍ସବକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ କମିଟିର ସଦସ୍ୟ ରବିନ୍ଦ୍ର ବିଶ୍ୱାଳ, ମଂଟୁ ସିଂହ, ରୁଦ୍ରପ୍ରସାଦ ନାୟକ, ଲୁଟୁ ମହାନ୍ତି ପ୍ରମୁଖ ସହଯୋଗିତା କରିଥିଲେ ।
