ଉଦ୍ୟମ ଆରମ୍ଭ କରିଥିଲା ବଳଦେବ ସେନା
କେନ୍ଦ୍ରାପଡ଼ା, ୧୭/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ଏବଂ ନବୀକରଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏକଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବ ସେନା ଗଣମାଧ୍ୟମକୁ ସୂଚନା ଦେଇଛି ଯେ ରାଜ୍ୟ ସରକାର ଏହି ଟଙ୍କା ଦେବା ପଛରେ ବଳଦେବ ସେନାର ଦାବି ରହିଥିଲା । ଦୀର୍ଘଦିନ ହେବ ବଳଦେବ ସେନା ଦାବି କରିଥିଲା ବଳଦେବଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଉ । ରାଜ୍ୟ ସରକାର ଏହି ଘୋଷଣା କରିଥିବାରୁ ସେନା ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । ପୂର୍ତ ଓ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ଘୋଷଣା ଅଗଣିତ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
ବଳଦେବ ସେନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଓ ଆଇନ ମନ୍ତ୍ରୀଙ୍କ ସରକାରୀ ନିବାସରେ ଆଇନ୍ ମନ୍ତ୍ରୀଙ୍କୁ ଭେଟି ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ, ପରିକ୍ରମା ପ୍ରକଳ୍ପ ଏବଂ ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଆଇନ୍ ମନ୍ତ୍ରୀ ମଧ୍ୟ ତୁରନ୍ତ ପଦକ୍ଷେପ ନେଇ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସେନା ପକ୍ଷରୁ ଦେବୋତର ଆୟୁକ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ କେନ୍ଦ୍ରାପଡ଼ା ସାଂସଦ, ମହାକାଳପଡ଼ା ବିଧାୟକ, କେନ୍ଦ୍ରାପଡ଼ା ବିଧାୟକ ଓ ଜିଲାପାଳଙ୍କ ନିକଟରେ ମଧ୍ୟ ବହୁବାର ଦାବି ଉପସ୍ଥାପନ କରାଯାଇଥିଲା ।
ପ୍ରକଳ୍ପ କାର୍ଯ୍ୟ ନିର୍ଦିିଷ୍ଟ ସମୟରେ ଆରମ୍ଭ ନହେଲେ ଅନଶନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମଧ୍ୟ ଚେତାବନୀ ଦିଆଯାଇଥିଲା । ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବାରେ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ରହିଛି । ଆଇନ ମନ୍ତ୍ରୀଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବାରୁ ବଳଦେବ ସେନାର ସଦସ୍ୟମାନେ ଆଇନ୍ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେନାର ସଭାପତି ପୁପୁନ କୁମାର ସ୍ୱାଇଁ, ସଂପାଦକ ଅମର ପ୍ରସାଦ ରାଉତ, ଉପଦେଷ୍ଟା ନିରଞ୍ଜନ ମେକାପ, ଆଶିଷ କୁମାର ପ୍ରଧାନ, ଆଲୋକ କୁମାର ସାହୁ, ବିକାଶ ବେହେରା, ଅନିଲ ସୁତାର, ଚନ୍ଦନ ପ୍ରଧାନ, ଉମାକାନ୍ତ ବେହେରା, ପଦ୍ମଲୋଚନ ସାହୁ, ଶୁଭନାରାୟଣ ପାଣିଙ୍କ ସମେତ ଅନ୍ୟ ସଦସ୍ୟମାନେ ଆଇନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
