ଭୁବନେଶ୍ୱର,୧୦/୧୧/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଂଜିନିୟର ଭବନ ଠାରେ କଳିଙ୍ଗ ବୈଶ୍ୟ ସମାଜ ରାଜଧାନୀ ଅଂଚଳର ବାର୍ଷିକ ଅଧିବେଶନ ଓ କାର୍ଯ୍ୟକାରିଣୀ ବୈଠକ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ବୈଠକରେ ରାଜ୍ୟର ୧୨ଟି ଅଂଚଳର ୩୦ ଗୋଟି ସଂଘରୁ ସମସ୍ତ କାର୍ଯ୍ୟକର୍ତା ଓ ବିଭିନ୍ନ ପଦପଦବୀ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଯୋଗଦେଇ ଆଗାମୀ ଦିନରେ ବୈଶ୍ୟ ସମାଜର ଟେକ ଓ ମାନ ସମ୍ମାନ ଓଡ଼ିଶାରେ ବୃଦ୍ଧି କରିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ସମାଜରେ ଆଗାମୀ କାର୍ଯ୍ୟକ୍ରମ ଓ ବିଭିନ୍ନ ସେବା ଯାହା ଚାଲୁ ରହିଛି ତାକୁ ଆଗକୁ ବଢାଇବା ପାଇଁ ଏକମନ, ଏକପ୍ରାଣ ହୋଇ କାମ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି ।
ପ୍ରାରମ୍ଭରେ ସଂଘର କୋଷାଧ୍ୟକ୍ଷ ନିରଂଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ବିଭିନ୍ନ ସୂତ୍ରରୁ ଆସୁଥିବା ଅର୍ଥର ଆୟବ୍ୟୟ ର ହିସାବ ପ୍ରଦାନ କରିଥିଲେ । ପ୍ରଥମେ ବୈଶ୍ୟ ସମାଜର ନୂତନ ସଭାପତିଙ୍କୁ ସମସ୍ତ କର୍ମକର୍ତାମାନେ ବାଜାବଜାଇ ନାଚଗୀତ କରି ପୁଷ୍ପ ବୃଷ୍ଟିକରି ସ୍ୱାଗତ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଓଡ଼ିଶାରେ କଳିଙ୍ଗ ବୈଶ୍ୟ ସମାଜର ୧୨ଗୋଟି ଅଂଚଳ ଅଛି ଓ ୩୦ ଗୋଟି ସଂଘ କାର୍ଯ୍ୟ କରୁଅଛି । ସବୁଠାରୁ ବୃହତ୍ ଅଂଚଳ ହେଉଛି ରାଜଧାନୀ ଅଂଚଳ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ, ବାଲେଶ୍ୱର, ଭଦ୍ରକ ନେଇ ରାଜଧାନୀ ଅଂଚଳ ଗଠିତ ହୋଇଅଛି । ଏହି ଅଂଚଳରେ ୧୭ ହଜାରରୁ ଊଦ୍ଧ୍ୱର୍ ଆମ ସମାଜର ଲୋକ ବସବାସ କରୁଛନ୍ତି ଏବଂ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ରହିଛନ୍ତି ।
ସବୁ ଲୋକଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ଉପଯୁକ୍ତ ଲୋକଙ୍କୁ ସଠିକ୍ ସମୟରେ ଖାଦ୍ୟ, ବସ୍ତ୍ର ବଂଟନ କରିବା ସହିତ ବିଭିନ୍ନ ରୋଗରେ ପୀଡିତ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ ଆମ ସମାଜ କରିଆସୁଅଛି ବୋଲି ବୈଶ୍ୟ ସମାଜର ରାଜ୍ୟ ସଭାପତି ଭେଙ୍କଟ ବାଲାଜୀ ପାତ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବୈଠକରେ ଅଧ୍ୟକ୍ଷତା କରୁଥିବା କଳିଙ୍ଗ ବୈଶ୍ୟ ସମାଜର ସାଧାରଣ ସମ୍ପାଦକ ରଂଜନ କୁମାର ପାତ୍ର ନିଜ ବକ୍ତବ୍ୟରେ ଆଗାମୀ ଦିନରେ ୨୫ ହଜାରରୁ ଊଦ୍ଧ୍ୱର୍ ଆମ ସମାଜର ସଦସ୍ୟ ମାନଙ୍କୁ ନେଇ ଆସନ୍ତା ଜାନୁଆରୀ ମାସରେ ରେଳ ଅଡିଟୋରିୟମ ଠାରେ ଏକ ବୃହତ୍ କାର୍ଯ୍ୟକ୍ରମ କରାଯିବାର ନିଷ୍ପତି ନିଆଯାଇଛି, ଯେଉଁଥିରେ କି ଆମ ସମାଜର ଲୋକମାନେ ବିିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରି ସାରା ଦେଶରେ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟରତ ଅଛନ୍ତି, ସେମାନେ ନିଜ ନିଜରସ ଫଳତା ବର୍ଣ୍ଣନା କରି ଅନ୍ୟମାନଙ୍କୁ ଆଗକୁ ବଢିବା ପାଇଁ ଏବଂ ଆମ ସମାଜର ମାନ ସମ୍ମାନ ବୃଦ୍ଧି ପାଇଁ ପ୍ରେରଣା ଦେବାର ଅଛି ।
ଅଧିକନ୍ତୁ, ଆମେ ସରକାରଙ୍କ ପାଖରେ ଗୋଟିଏ ଅନୁରୋଧ କରୁଛୁ ଆମକୁ ଗୋଟିଏ ସରକାରୀ ଜାଗା ବା ଘର ଯୋଗାଇ ଦେଲେ ଆମେ ସେଠାରେ ଅଫିସ୍ ଖୋଲି ଆମର କାର୍ଯ୍ୟକ୍ରମ ସୁରୁଖୁରୁରେ କରିବା ସହ ଆମ ସମାଜର ମହିଳା ସଂଘର ସମସ୍ତ ସଦସ୍ୟମାନେ ଏକାଠି ହୋଇ ଲୋକମାନଙ୍କ ସେବା କରିପାରିବେ ଏବଂ ଯୁବକମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତିି ଗ୍ରହଣକରି ଆଗେଇଯିବେ ବୋଲି କଳିଙ୍ଗ ବୈଶ୍ୟ ସମାଜର ରାଜ୍ୟ ଯୁବ ସଭାପତି ସୁଶାନ୍ତ କୁମାର ପାତ୍ର କହିଛନ୍ତି । ଏହି ବୈଠକରେ ଉର୍ବଶୀ ପାତ୍ର, ଯିଏକି ଏଭରେଷ୍ଟ ଆହରଣ କରିଥିଲେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବୈଶ୍ୟ ସମାଜର ରାଜ୍ୟ ମହିଳା ସଂଘର ସଭାନେତ୍ରୀ ରତ୍ନ ମଞ୍ଜରୀ ସୁବୁଦ୍ଧି, ସମାଜର ଉପସଭାପତି ଅର୍ନ୍ତଯ୍ୟାମି ପାତ୍ର ସଠିକ୍ ପରିଚାଳନା କରିଥିଲେ । ଶେଷରେ ଯୁଗ୍ମସମ୍ପାଦକ ଶିଶିର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
