କଟକ ସଦର,୦୪/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ଲକ୍ ରାସ୍ତାରେ ଗତ ୩୧ ତାରିଖ ଶୁକ୍ରବାର ରାତିରେ ହୋଇଥିବା ବହୁଚର୍ଚ୍ଚିତ ଥୋରିଆପଡା ଦିପୁ ଓରଫ୍ ଦିଲିପ୍ ଭୋଇ ହତ୍ୟାକାଣ୍ଡ ର ଆଜି ମଙ୍ଗଳବାର ପର୍ଦାଫାଶ ହୋଇଛି। ଏଥିରେ ସମ୍ପୃକ୍ତ ହତ୍ୟାକାରୀ ସେହି ଗ୍ରାମର ମୁରଲୀଧର ଭୋଇଙ୍କ ପୁଅ ତଥା ସମ୍ପର୍କିୟ ଦାଦା ବାବୁ ଓରଫ ପ୍ରମୋଦ ଭୋଇକୁ ଆଜି ମଙ୍ଗଳବାର ଦିନ ଗିରଫ କରି ପୋଲିସ ହତ୍ୟାକାଣ୍ଡ ସ୍ଥଳକୁ ଆଣି ସିନ୍ ରିକ୍ରିଏସନ୍ କରାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସିନ୍ ରିକ୍ରିଏସନ୍ ସମୟରେ ହତ୍ୟାକାରୀ ବାବୁ ହତ୍ୟା ପାଇଁ ବ୍ୟବହାର କରିଥିବା ଛୁରୀ କୁ ପୋଲିସ ଉଦ୍ଧାର କରି ଜବତ କରିଛି।

ଘଟଣାକ୍ରମ ଏଇଆ ଯେ,ମୃତକ ଓ ଘାତକ ଉଭୟ ଗୋଟିଏ ଗ୍ରାମର ଏଵଂ ସମ୍ପର୍କରେ ପୁତୁରା ଓ ଦାଦା। ଦାଦା ତଥା ଅଭିଯୁକ୍ତ ବାବୁ ପୁତୁରା ଵୋହୁକୁ ଭଲପାଉଥିବା ରୁ ପୁତୁରା ଦିପୁ ଏହାକୁ ବିରୋଧ କରିଆସୁଥିଲେ। ଏଥିପାଇଁ ପୁତୁରା କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଦାଦା ଅନେକ ଦିନ ହେଲା ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା। ଏଥିପାଇଁ ଗତ ୧୭ ତାରିଖରେ ବାବୁ କଟକ ଖପୁରିଆରୁ ଏକ ଛୁରୀ କିଣି ଆଣିଥିଲା। ଘଟଣା ଦିନ ରାତିରେ ଚଞ୍ଚକତା କରି ବାବୁ ଦିପୁକୁ ଘରୁ ଡାକି ଆଣି ମଦ ପିଇବା ସହିତ ଵିରିଆନି ଖାଇଥିଲେ। ଦିପୁକୁ ଅଧିକ ନିଶା ହୋଇଯିବା ରୁ ଏହି ସୁଯୋଗରେ ବାବୁ ତାର ତଣ୍ଟି କୁ ଛୁରିରେ କାଟି ହତ୍ୟା କରିବା ପରେ ତାକୁ ଓ ତା ମଟରସାଇକେଲ କୁ ତାଳଦଣ୍ଡା କେନାଲ ରେ ପକାଇ ଦେଇଥିଲା।
ଏହା ପରେ ହତ୍ୟାକାରୀ ବାବୁ ଘରକୁ ଯାଇ ରକ୍ତ ଭିଜା ସାର୍ଟି ପ୍ୟାଣ୍ଟ୍ ସଫାକରି ନିକଟସ୍ଥ ରାମକୁମାରପୁରରେ ଥିବା ଏକ ନର୍ସିଂ ହୋମ୍ କୁ ଜନୈକ ରୋଗୀକୁ ଦେଖାକରି ଘରକୁ ଆସି ଶନିବାର ଭୋରରୁ ଫୁଲନଖରା ଚାକିରି ସ୍ଥଳକୁ ପଳାଇଥିଲେ। ଶନିବାର ସକାଳେ କେନାଲରେ ଦିପୁ ର ଅଧା ବୁଡି ରହିଥିବା ମଟରସାଇକେଲ ଏଵଂ କେନାଲ ବନ୍ଧ ରେ ରକ୍ତର ଛିଟା କୁ ଦେଖି ଦିପୁ ହତ୍ୟା ହୋଇଥିବା ଅନୁମାନ କରାଯାଉଥିଲା।
ଗତ ରବିବାର ସକାଳେ ମୃତକ ଦିଲିପ ଭୋଇର ତଣ୍ଟିକଟା ଶଵ ଗଡମା ନିକଟରେ ମିଳିବା ପରେ ଘଟଣାର ତଦନ୍ତ କୁ ତ୍ୱରାନ୍ୱିତ କରିବା ସହିତ ଶନିବାର ଦିନ ତଦନ୍ତକାରୀ ଅଧିକାରିଣୀ ତଥା ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ସନ୍ଦେହ ରେ ଉଠାଇ ଆଣିଥିବା ହତ୍ୟାକାରୀ ବାବୁ ଓରଫ ପ୍ରମୋଦ ଭୋଇ ଠାରୁ ସବୁ ସତ ଓଗାଳିଥିଲେ। ହତ୍ୟାକାଣ୍ଡ ସମ୍ପର୍କରେ ଆଜି ମଙ୍ଗଳବାର ଦିନ ଘଟଣା ସ୍ଥଳରେ ଅଭିଯୁକ୍ତ କୁ ଆଣି ସିନ୍ ରିକ୍ରିଏସନ୍ ପରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି ଗଣମାଧ୍ୟମରେ ଖୁଲାସା କରିଥିବା ଜଣାପଡିଛି। ଏଥିପାଇଁ କିଶନନଗର ଥାନାରେ ୨୯୭/୨୦୨୫ ଓ ୩୦୧(୧) ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।
