କେନ୍ଦ୍ରାପଡ଼ା, ୦୧/୧୧/୨୦୨୫(ଓଡ଼ିଶା ସମାଚାର)-ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଏକ ଜିଲାସ୍ତରୀୟ ସାଧାରଣ ସଭା ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ “ଦୁର୍ନୀତି ନିବାରଣ:ଆମ ସାମୁହିକ ଦାୟିତ୍ୱ ଶୀର୍ଷକ ଉପରେ ଆଲୋଚନା କରି ଏହାର ବିଭିନ୍ନ ଦିଗପ୍ରତି ଆଲୋକପାତ କରିଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଯୋଗଦେଇ ବକ୍ତବ୍ୟରେ କହିଲେ ଯେ ସତ୍ୟନିଷ୍ଠା ହେଉଛି ପ୍ରଗତିର ମୂଳଆଧାର, ବିଶ୍ୱାସ ଏବଂ ଦାୟିତ୍ୱବୋଦ୍ଧକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଉଚିତ । ସ୍ୱଚ୍ଛତା ଏବଂ ଉତର ଦାୟିତ୍ୱ ଆମର ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ । ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶିଳତା ନୀତି ଆପଣେଇ ଆଗକୁ ବଢିବା ଉଚିତ । ସମସ୍ତେ ଏକତ୍ର ହୋଇ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବାର ସମୟ ଆସିଛି ।
ଶେଷରେ ଦୁର୍ନୀତା ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଛାତ୍ର ଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ସଭା ପରିଚାଳନା କରିଥିଲେ । ୨୭ ଅକ୍ଟୋବରୁ ୨ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶନିବାର ସକାଳେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଜିଲାପାଳ ରଘୁରାମ ଆର. ଆୟର ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ରାଲିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତାଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ ।
