କେନ୍ଦ୍ରାପଡ଼ା, ୩୧/୧୦/୨୦୨୫(ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ତୁଳସୀକ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଭଳି ଆଜି ହବିଷ୍ୟାଳୀଙ୍କ ପଂଚୁକ ବ୍ରତ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଊନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ବାଦ ଓ ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ମାତୃଭାଷାକୁ ବଂଚାଇ ରଖିବାକୁ ସମସ୍ତେ ପ୍ରୟାସ ଜାରି ରଖନ୍ତୁ ବୋଲି କହିଥିଲେ । ପ୍ରତ୍ୟେକ ଘରେ ମାତୃଭାଷାର ବ୍ୟବହାର କରାଯିବା ସହିତ ପ୍ରତ୍ୟେକ ଘରୁ ନିଶାକୁ ନିବାରଣ କରାଯାଉ ।
ମା’ମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ । ଏଥିସହିତ ଶ୍ରୀ ପଟ୍ଟନାୟକ ପ୍ରତ୍ୟେକ ଘରେ ନାରୀମାନେ ଏକଜୁଟ ହୋଇ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ନାରୀଶକ୍ତିକୁ ସମର୍ଥନ ଜଣାଇ ଆମେ ଏଭଳି ଏକ ଓଡିଶା ଗଠନ କରିବା ଯାହା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲାପାଳ ରଘୁରାମ ଆର.ଆୟାର ଯୋଗଦେଇ ଦୀର୍ଘ ୭ବର୍ଷ ଧରି ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଂଚୁକ ବ୍ରତ ପାଳନ ପାଇଁ ଶ୍ରୀ’ମାଙ୍କ ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ କହିଲେ ସର୍ବଦା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ପାଇଁ ଶ୍ରୀ’ମାଙ୍କ ଉଦ୍ୟମ ରହିଆସିଛି । ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିନା ସରକାରୀ ସହାୟତାରେ ଶ୍ରୀ’ମା ଏଭଳି ମହତ କାର୍ଯ୍ୟ ୭ବର୍ଷ ହେବ କରିଆସୁଥିବାରୁ ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ । ମୁଖ୍ୟବକ୍ତା ଭାବେ ଧର୍ମଜାଗରଣ ସମନ୍ୱୟର କ୍ଷେତ୍ରପ୍ରମୁଖ ବିନୟ କୁମାର ଭୂୟାଁ ଯୋଗଦେଇ ତୁଳସୀକ୍ଷେତ୍ରରେ ହଭିଷ୍ୟାଳୀଙ୍କ ପାଇଁ ଆୟୋଜିତ ପଂଚୁକ ବ୍ରତ ନିମନ୍ତେ ସରକାରୀ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଆସନ୍ତା ବର୍ଷ ଠାରୁ ଏଥି ପାଇଁ ସରକାରୀ ଅନୁଦାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଥିଲେ ।
ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଚ୍ଚନା ଗୋଏଙ୍କା, ଦୌ୍ରପଦୀ ରାଉତ, ସୁମିତ୍ରା ପାଢୀ, ଗବେଷକ ନିରଞ୍ଜନ ମେକାପ, ବଳଦେବସେନାର ସଭାପତି ପପୁନ ସ୍ୱାଇଁ ଓ ସାଥି, ଧର୍ମଜାଗରଣ ସମନ୍ୱୟର ଶଶାଙ୍କ ଜେନା, ମାଧବ ପ୍ରଧାନ, ଅଭିଜିତ ଦାସ, ବ୍ରହ୍ମଚାରୀ ନୃସିଂହ ନାଥ ଓ ଶିବାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ୨ଶହରୁ ଉଦ୍ଧ୍ୱର୍ ହବିଷ୍ୟାଳୀ ମା’ମାନେ ଏଥିରେ ଉପସ୍ଥିତ ଥିଲେ ।
