ବିଦ୍ୟାଳୟ କର୍ମଚାରୀ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପ୍ରଧାନ ଶିକ୍ଷକ

ବାଲିଗୁଡା,୩୧/୧୦/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟ କର୍ମଚାରୀ ଙ୍କ ଠାରୁ  ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପ୍ରଧାନ ଶିକ୍ଷକ । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡ଼ା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମାରମଣି ମଲ୍ଲିକ।

ନିଜ ସ୍କୁଲର ଜଣେ କର୍ମଚାରୀଙ୍କ ଉପସ୍ଥାନକୁ ନିୟମିତ କରାଇବା ଏବଂ ଗତ ୨ ମାସର ଦରମା ଉଠାଇବାରେ ସହଯୋଗ କରିବା ଲାଗି କୁମାରମଣି ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଦରମା ଉଠାଇ ପାରିବ ନାହିଁ ବୋଲି ପ୍ରଧାନଶିକ୍ଷକ ଧମକ ଦେଇଥିଲେ। କୌଣସି ଉପାୟ ନ ପାଇ କର୍ମଚାରୀ ଜଣକ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଏହା ପରେ ଯୋଜନା ଅନୁଯାୟୀ ଭିଜିଲାନ୍ସ ଅଧିକାରୀମାନେ କୁମାରମଣିଙ୍କୁ ଧରିଥିଲେ। କର୍ମଚାରୀ ଜଣକ ପ୍ରଧାନଶିକ୍ଷକ ଙ୍କୁ ଫୋନ ପେ ଜରିଆରେ ୪ ହଜାର ଟଙ୍କା ପଠାଇଥିଲେ। ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କ ଉକ୍ତ ଫୋନକୁ ଜବତ କରିଛି।ଏହା ପରେ ଭିଜିଲାନ୍ସ ପକ୍ଷରୁ କୁମାରମଣିଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଅବ୍ୟାହତ ରଖିଛି।

Leave a Reply

Your email address will not be published. Required fields are marked *