— ବୈଠକରେ ଯୋଗ ଦେଲେ ପ୍ରମୁଖ ଶାସନ ସଚିବ ତଥା ଯାଜପୁର ଜିଲ୍ଲା ନୋଡାଲ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ
— ୨୦୨୬-୨୭ ସୁଦ୍ଧା ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ତିନୋଟି ମୌଳିକ ସୁବିଧା ଯଥା ଶକ୍ତି, ପାନୀୟ ଜଳ ଏବଂ ଶେଷ ମାଇଲ ସଂଯୋଗୀକରଣ ରାସ୍ତା
— ଯାଜପୁରରେ ଖଣିଜ ଭିତ୍ତିକ ଶିଳ୍ପ ବିକାଶ ଏବଂ ଶିଳ୍ପ କରିଡର ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବଜେଟରେ ପ୍ରସ୍ତାବ
— ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଅର୍ଥନୀତି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ
ଯାଜପୁର, ୧୩/୦୪/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ବାର୍ଷିକ ବଜେଟ୍ ୨୦୨୬-୨୭ ରେ ଗରିବ, ଯୁବପିଢ଼ି, ଅନ୍ନଦାତା କୃଷକ ଓ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି। “ମିଶନ ପୋୱାର” ଯୋଜନା ଅଧୀନରେ ୨୦୨୬-୨୭ ସୁଦ୍ଧା ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ତିନୋଟି ମୌଳିକ ସୁବିଧା ଯଥା ଶକ୍ତି, ପାନୀୟ ଜଳ ଏବଂ ଶେଷ ମାଇଲ ସଂଯୋଗୀକରଣ ରାସ୍ତା ଯୋଗାଇ ଦିଆଯିବ। ଯାଜପୁରରେ ଖଣିଜ ଭିତ୍ତିକ ଶିଳ୍ପ ବିକାଶ ଏବଂ ଶିଳ୍ପ କରିଡର ସହ ସଂଯୁକ୍ତ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ପ୍ରସ୍ତାବ ରହିଛି ବୋଲି ଓଡ଼ିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ତଥା ଯାଜପୁର ଜିଲ୍ଲା ନୋଡାଲ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଭା.ପ୍ର.ସେ କହିଛନ୍ତି। ସେ ଆଜି ଯାଜପୁର ଗସ୍ତରେ ଆସି ବଜେଟ୍ ସମ୍ବନ୍ଧୀୟ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ଆମେ ଜାଣିବା, ଆମ ବଜେଟ୍” ଶୀର୍ଷକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ବଶିଷ୍ଠ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଗଣ ଯୋଗ ଦେଇଥିଲେ। ପ୍ରଥମେ ପ୍ରମୁଖ ଶାସନ ସଚିବ ଶ୍ରୀ ବଶିଷ୍ଠ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କ ସହ ବଜେଟର ପରିଭାଷା ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲାପାଳ ଓଡ଼ିଶା ବଜେଟ୍ ୨୦୨୬-୨୭ର ପ୍ରମୁଖ ଦିଗଗୁଡ଼ିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ। ବଜେଟରେ ଥିବା ବିଭିନ୍ନ ବିକାଶମୂଳକ ଯୋଜନା, ପ୍ରାବଧାନ, ବ୍ୟୟ ଅଟକଳ, କେଉଁ ବିଭାଗକୁ କେତେ ଟଙ୍କା ଦିଆଯାଇଛି ସମ୍ପର୍କରେ ଜନସାଧାରଣ ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ।
ବିଭିନ୍ନ ବିଭାଗୀୟ ମୁଖ୍ୟ ଅଧିକାରୀମାନେ ମଧ୍ୟ ସେମାନଙ୍କ ନିଜ ନିଜ ବିଭାଗ ସମ୍ବନ୍ଧୀୟ ବଜେଟ୍ ଅଟକଳ, ଅନୁଦାନ, ନୂତନ ଯୋଜନା, ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ପାଇଥିଲେ। ଚଳିତ ରାଜ୍ୟ ବଜେଟରେ ଗ୍ରାମୀଣ ସଶକ୍ତିକରଣ, ଆମ ପରମ୍ପରା ଓ ଐତିହ୍ୟ, ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଲୋକ କୈନ୍ଦ୍ରିକ ପ୍ରଶାସନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଯାଜପୁର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଥିବା ବ୍ୟୟ ଅଟକଳ ରହିଛି। ଏହାସହ ବଜେଟରେ ରେୟାର ଆର୍ଥ କରିଡର୍ ପ୍ରତିଷ୍ଠା, ଜାତୀୟ ଜଳପଥ-୫ ର ବିକାଶ, ଉତ୍କୃଷ୍ଟ ଆଇଟିଆଇ ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ପିଏମ୍ ପୋଷଣ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ସମୃଦ୍ଧ କୃଷକ ଯୋଜନା ଭଳି ଅନେକ ସାମାଜିକ ବିକାଶମୂଳକ ପଦକ୍ଷେପ ରହିଛି।
ଏଥିରେ ୧୦୦୦ କୋଟି ଟଙ୍କା ବ୍ୟୟରେ ପୁରୀରେ ନୂତନ ଶ୍ରୀ ଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର, ଶ୍ରୀମନ୍ଦିର ଅନଲାଇନ୍ ଦାନ ପାଇଁ ଡିଜିଟାଲ ହୁଣ୍ଡି, ୫ ଟି ନୂଆ ମେଡିକାଲ କଲେଜ ନିର୍ମାଣ, ୪ ଟି ନୂତନ ବିଶ୍ୱବିଦ୍ୟାଳୟ ନିର୍ମାଣ, ଭୁବନେଶରରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ ନୂଆ ଅତିଥି ଗୃହ ନିର୍ମାଣ ଭଳି ଲୋକାଭିମୁଖୀ ପଦକ୍ଷେପ ରହିଛି। ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଆର୍ଥିକ ସମୃଦ୍ଧି ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ବଜେଟରେ ୧୦,୧୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଓଡିଶାର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ। ଜିଲ୍ଲା ସ୍ତରୀୟ ବୈଠକ ପରେ ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଲୋକଙ୍କ ଭିତରେ ରାଜ୍ୟ ବଜେଟ ସମ୍ପର୍କିତ ସଚେତନତା ସୃଷ୍ଟି କରାଯିବ। ବୈଠକ ଶେଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।
