କେନ୍ଦ୍ରାପଡ଼ା,୩୦/୧୦/୨୦୨୫(ଓଡ଼ିଶା ସମାଚାର)-ନିକିରାଇ ଥାନା ଅଂଚଳର ଜଣେ ଯୁବକଙ୍କୁ ଆକ୍ରମଣ କରାଯିବା ପରେ ତାଙ୍କର ମୃତୁ୍ୟ ଘଟିବା ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲାଜଜ୍ ଅଭିଯୁକ୍ତ ସୁନାକର ମଲିକଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ନିକିରାଇ ଥାନା ଅଧିନ ଧୂମାତ ମଠସାହି ଗ୍ରାମର ସନ୍ତୋଷ ମଲିକ ୨୦୧୮ମସିହା ଅଗଷ୍ଟମାସ ୨୭ତାରିଖରେ ସୁନାକରଙ୍କ ଘରେ ଚାଲିଥିବା ଏକ ଜନ୍ମଦିନ ଭୋଜିକୁ ଯାଇଥିଲେ । କୌଣସି କାରଣକୁ କେନ୍ଦ୍ର କରି ସୁନାକରଙ୍କ ସହ ସନ୍ତୋଷଙ୍କର ଯୁକ୍ତିତର୍କ ହୋଇଥିଲା ।
ଏହି ଯୁକ୍ତିତର୍କ କ୍ରମେ ଉଗ୍ର ରୂପ ନେବାରୁ ସୁନାକର ଏକ ବାଉଁଶ କୀଳାରେ ସନ୍ତୋଷଙ୍କ ପେଟକୁ ଭୁସି ଦେଇଥିଲେ । ଏହାଦ୍ୱାରା ସନ୍ତୋଷ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷଙ୍କର ୨୦୧୮ମସିହା ଅଗଷ୍ଟମାସ ୨୯ତାରିଖରେ ମୃତୁ୍ୟ ହୋଇଯାଇଥିଲା । ଏନେଇ ମୃତ ସନ୍ତୋଷଙ୍କ ମା’ ଅନୁସ୍ୱୟା ମଲିକ ନିକିରାଇ ଥାନାରେ ଏତଲା ଦେଇଥିଲେ ।
ସେହି ଏତଲାକୁ ଭିତି କରି ନିକିରାଇ ଥାନା ପୋଲିସ ସୁନାକର ମଲିକ ବିରୁଦ୍ଧରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ୨୦୨୧ମସିହା ଜାନୁଆରୀମାସ ୧୫ତାରିଖରେ ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଧ ଦାଖଲ କରିଥିଲା । ସାକ୍ଷ ପ୍ରମାଣ ଅଭାବରୁ କେନ୍ଦ୍ରାପଡା ଅତିରିକ୍ତ ଜିଲାଜଜ୍ ବିଷ୍ଣୁଦେବ ଜେନା ଅଭିଯୁକ୍ତ ସୁନାକର ମଲିକଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆଶୁତୋଷ ମହାନ୍ତି ଓ ସହଯୋଗୀ ଆଇନଜୀବୀ ଏ.ସି.ଖଟୁଆ ମକଦ୍ଧମା ପରିଚାଳନା କରୁଥିଲେ ।
