ଢେଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀପୁଜା

ଧରାପୃଷ୍ଠରେ ମା’ କମଳିନୀ
ଢେଙ୍କାନାଳ, ୦୮/୧୦/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଲକ୍ଷ୍ମୀପୂଜା । ସୋମବାର ପ୍ରାୟ ରାତି ୮ଘଟିକାରେ ସମସ୍ତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ହୋମଯଜ୍ଞ , ଲକ୍ଷ୍ମୀପୁରାଣ ପାଠ , ହୁଳହୁଳି, ହରିବୋଲ ଧ୍ୱନି ସହ ଘଣ୍ଟଶଙ୍ଖ ନାଦ ମଧ୍ୟରେ ବିରାଜିଛନ୍ତି ମା’ କମଳିନୀ । ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଲକ୍ଷ୍ମୀପୁଜାକୁ ନେଇ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଉତ୍ସାହିତ ହୋଇପଡିଛନ୍ତି ।

ଚଳିତ ବର୍ଷ ୩୮ ଟି ପୂଜାମଣ୍ଡପ ସହ ଅନ୍ୟ ୩ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ପ୍ରମୁଖ ୩୮ ପୂଜା ମଣ୍ଡପ ମଧ୍ୟରୁ ମିନା ବଜାର, ଜବହାରଚୌକ, ଲକ୍ଷ୍ମୀ ବଜାର, ଗଣେଷ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରିଗର ସାହି, ବାଜିଚୌକ, ଗୁଡିଆନାଳୀ, ରାଧାକୃଷ୍ଣ ବଜାର , ପଦ୍ମ ବଜାର, ଜୁବୁଲି ଟାଉନ -୧, କୁଂଜକାନ୍ତ, କୈବଲ୍ୟ ବଜାର, ଦେଉଳ ସାହି, ସିମିଳିଆ, ଷ୍ଟେସନ ବଜାର, କଲେଜ ବଜାର, ଗାନ୍ଧି ବଜାର, ଚନ୍ଦନ ବଜାର, ବସଷ୍ଟାଣ୍ଡ ଅମଲାପଡା, ଦୂର୍ଗା ବଜାର, କାଳିକା ବଜାର, ରାମେଶ୍ୱର ପୁର, ନେହେରୁ ବଜାର, ଜୁବୁଲିଟାଉନ -୨, ସ୍ୱପ୍ନେଶ୍ୱର ବଜାର, ଭଗବାନ ପୁର, ଗୋପବନ୍ଧୁ ବଜାର, ରନ ବଜାର, ଖମାର ସାହି, କମୁ୍ୟନିଟି ସେଣ୍ଟର ହାଟରୋଡ, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ, ବନମାଳି ପ୍ରସାଦ, ମା ଜେନାଦେବୀ ବଜାର ଓ ନିର୍ମାଲ୍ୟ ବଜାରେ ପୁଜା ଅନୁିଷ୍ଠିତ ହେଉଛି । କାଞ୍ଚନ ବଜାର ପୁଜା ପ୍ରତିଷ୍ଠାନ ଚଳିତ ବର୍ଷ ୭୫ବର୍ଷ ପୁର୍ତ୍ତିଉସôବ ପାଳନ କରୁଛି ।

ଅପରାହ୍ନରେ ଶ୍ରଦ୍ଧାଳୁ ଓ ପୁଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ କଳସ ଯାତ୍ରାରେ ଆସି ମଣ୍ଡପରେ କଳସ ସ୍ଥାପନ କରିଥିଲେ । ଶ୍ରୀ ଶ୍ରୀ ରାଜଲକ୍ଷ୍ମୀ ମଉଡମଣି ପୂଜାପ୍ରତିଷ୍ଠାନ ମିନା ବଜାର ପୂଜାମଣ୍ଡପରେ ରାତି ୮ଟାରେ ପୁଜା ଆରମ୍ଭ ହୋଇଥିଲା । ଗଣେଷ ବଜାର ପୁଜା ମଣ୍ଡପରେ ୭ଟା୫୦ରେ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାକୁ ଅଧିକ ଆକର୍ଷଣ କରିବାକୁ ରଥଗଡା , ଜୁବୁଲି ଟାଉନ-୧ ଅଞ୍ଚଳ ,ଗୁଡିଆନାଳୀ ପୂଜା ପ୍ରତିଷ୍ଠାନ ନିକଟସ୍ଥ ଖେଳ ପଡିଆ ଆଦିରେ ବିଭିନ୍ନ କିସମର ଦୋଳିର ସମାଗମ ହୋଇଛି ।

ଜିଲ୍ଲାର ପାରମ୍ପରିକ ଖାଦ୍ୟ ମଧ୍ୟରେ ଢେଙ୍କାନାଳ ପ୍ରସିଦ୍ଧ ବରା, କଟକର ପ୍ରସିଦ୍ଧ ଚାଟ ଓ ଦହିବରା ଆଳୁଦମ୍, ମଥୁରା କେକ୍ ସହିତ ଫାଷ୍ଟଫୁଡ, ଠୁଙ୍କା ପୁରି ଆଦି ଷ୍ଟଲ ଲକ୍ଷ୍ମୀପୂଜାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ ସାଜିଛି ।

୮୨ ବର୍ଷ ହେବ ଲକ୍ଷ୍ମୀପୂଜା ଉତ୍ସବ ମହାସମାରୋହରେ ପାଳିତ ହେଉଥିବାବେଳେ ମିନା ବଜାର , ଲକ୍ଷ୍ମୀ ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କୈବଲ୍ୟ ବଜାର, ଗଣେଷ ବଜାର, ବସଷ୍ଠାଣ୍ଡ ଆଦି ପୁଜା ପ୍ରତିଷ୍ଟାନର ତୋରଣ ଗୁଡିକ ବେଶ ଆକର୍ଷଣୀୟ ହୋଇଛି । ଚଳିତ ବର୍ଷ ବିଦୁ୍ୟତ ଆଲୋକର ସାଜସଜ୍ଜାକୁ ଆଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ପୂଜା ଉତ୍ସବକୁ ପାଳନ କରିବା ପାଇଁ ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ରୁଦ୍ରନାରାୟଣ ତ୍ରିପାଠୀ ଓ ସମ୍ପାଦକ ପିତବାସ ସାହୁ ସହରବାସୀ ଓ ସମସ୍ତ ସହରବାସୀଙ୍କୂ ନିବେଦନ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *