ଜିଲାପାଳଙ୍କ କାର୍ଯ୍ୟାଳୟରେ ହୋହାଲା ମଚାଇଲେ ଯୁବତୀ

ଜିଲାପାଳଙ୍କ କୋର୍ଟ ଚାମ୍ବରକୁ ଧସେଇ ପସିଲେ
କେନ୍ଦ୍ରାପଡା,୨୯/୧୦/୨୦୨୫(ଓଡ଼ିଶା ସମାଚାର)- ଜଣେ ପଂଚମ ଶ୍ରେଣୀର ଛାତ୍ରଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାନଯିବା ଘଟଣାକୁ ନେଇ ଜନୈକ ଯୁବତୀ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ହୋହଲା ମଚାଇବା ସହ ଜିଲାପାଳଙ୍କ କୋର୍ଟ ଚାମ୍ବରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଜିଲାପାଳ କୋର୍ଟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସଂପୃକ୍ତ ଯୁବତୀଙ୍କୁ କହିଥିଲେ । କିନ୍ତୁ ସେ କିଛି ନଶୁଣି ସେଠାରେ ହୋହାଲା କରିବା ସହ ଜିଲାପାଳଙ୍କ କୋର୍ଟ ଚାମ୍ବର ମଧ୍ୟକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ ।

ଫଳରେ ଜିଲାପାଳ ରଘୁରାମ ଆର.ଆୟାର କୋର୍ଟ କାର୍ଯ୍ୟ ଶେଷ କରି ବାହାରକୁ ଆସି ପାଟିତୁଣ୍ଡର କାରଣ ପଚାରିବାରେ ସେହି ଯୁବତୀ ଜଣଙ୍କ ଜିଲାପାଳଙ୍କୁ ମଧ୍ୟ ଉଚିତ ବ୍ୟବହାର ପ୍ରଦର୍ଶନ କରିନଥିଲେ । ପରେ ଜିଲାପାଳ ତାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ମାର୍ଶାଘାଇ ତହସିଲଦାରଙ୍କୁ ପଚାରିବାରେ ସେ କହିଥିଲେ ଯେ ଯୁବତୀଙ୍କ ପରିବାର ମାର୍ଶାଯାଇ ତହସିଲ ଅଧିନରେ ରହୁଥିଲେ ମଧ୍ୟ ତାଙ୍କର ପ୍ରକୃତ ଘର ହେଉଛି ମହାକାଳପଡା ତହସିଲ ଅଧିନରେ । ତେଣୁ ମାର୍ଶାଘାଇ ତହସିଲ ଜାତିଗତ ପ୍ରମାଣପତ୍ର ଦେବା ସମ୍ଭବ ନୁହେଁ । ସେ ମହାକାଳପଡା ତହସିଲକୁ ଏଥିନିମନ୍ତେ ଆବେଦନ କରନ୍ତୁ କିମ୍ବା ମହାକାଳପଡା ତହସିଲ ଅଧିନରେ ଥିବା ତାଙ୍କ ପ୍ରକୃତ ବାସସ୍ଥାନର ସଠିକ ବିବରଣୀ ଦେଇ ମାର୍ଶାଘାଇ ତହସିଲକୁ ଆବେଦନ କରିବାକୁ ତାଙ୍କୁ ପୂର୍ବରୁ ତହସିଲଦାର ପରାମର୍ଶ ଦେଇଥିବା କହିଥିଲେ ।

ଜିଲାପାଳ ଯୁବତୀ ଜଣଙ୍କୁ ଏସମ୍ପର୍କରେ ବୁଝାଇଦେବା ସହିତ ମାର୍ଶାଘାଇ ତହସିଲଦାରଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ । ସୂଚନା ଅନୁଯାୟୀ ଯୁବତୀଙ୍କ ଭାଇ ଓମ୍ ସାଇଙ୍କ ନବୋଦୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାପାଇଁ ଆବେଦନ କରିବାକୁ ଜାତିଗତ ପ୍ରମାଣପତ୍ରର ଆବଶ୍ୟକ ଥିଲା । ଏଥି ନିମନ୍ତେ ଓମ୍ ସାଇଙ୍କ ପିତା ସୁବ୍ରତ କୁମାର ରାଉତ ଅନଲାଇନରେ ମାର୍ଶାଯାଇ ତହସିଲକୁ ଜାତିଗତ ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ । କିନ୍ତୁ ସେହି ଆବେଦନପତ୍ରରେ ପୈତୃକ ଘର ମହାକାଳପଡା ତହସିଲର ସଠିକ ଠିକଣା ଦେଇନଥିଲେ । ଫଳରେ ଆବେଦନଟି ରଦ୍ଧ ହୋଇଯାଇଥିଲା । ଏ ସମ୍ପର୍କରେ ଓମ ସାଇ ଓ ତାଙ୍କ ଭଉଣୀ ମାର୍ଶାଘାଇ ତହସିଲକୁ ଯାଇ ତହସିଲଦାରଙ୍କୁ ସାକ୍ଷାତ କରିଥିଲେ ।

ତହସିଲଦାର ସମସ୍ତ କଥା ଶୁଣିବା ପରେ ରେକର୍ଡ ଯାଂଚ କରି ତାଙ୍କୁ ପୁନର୍ବାର ମହାକାଳପଡା ତହସିଲ ର ସଠିକ ଠିକଣା ଦେଇ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ନକରି ବୁଧବାର ଉଭୟ ଭାଇ ଓ ଭଉଣୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ମାର୍ଶାଘାଇ ରାଜସ୍ୱ ନିରୀକ୍ଷକ ତାଙ୍କୁ ୫ହଜାର ଟଙ୍କା ଲାଂଚ ମାଗୁଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ଓମ ସାଇ ପଂଚମ ଶ୍ରେଣୀରେ ପାଠ ପଢୁଛନ୍ତି । ତା’ର ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ଆବେଦନ ପାଇଁ ଜାତିଗତ ପ୍ରମାଣ ପତ୍ରର ଆବଶ୍ୟକତା ରହିଛି । ଏନେଇ ସେ ଅନଲାଇନରେ ଆବେଦନ କରିଥିଲେ । କିନ୍ତୁ ଆର.ଆଇ ତାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ନିରାଶ କରିଥିଲେ । ଶେଷରେ ତାଙ୍କୁ ଜାତି ପ୍ରମାଣ ପତ୍ର କରିଦେବା ପାଇଁ ୫ହଜାର ଟଙ୍କା ଲାଂଚ ମାଗିଥିଲେ । ଏସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରେ ସେ କହିଥିଲେ ଯେ ଲାଂଚ ମାଗିବା ମିଛ । ତାଙ୍କ ଆବେଦନପତ୍ରଟି ରଦ୍ଧ ହୋଇଯିବାରୁ ସେ ଏପରି ଅଭିଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *