ନୂଆଦିଲ୍ଲୀ (ପିଆଇବି) : ମିଥ୍ୟା ଖବର, ଭ୍ରମାତ୍ମକ ସୂଚନା ଏବଂ ଅନୁଚିତ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଏହାକୁ ଏକ ସ୍ୱାୟତ କର୍ତବ୍ୟ ରୂପେ ଗ୍ରହଣ କରି ସରକାର ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଦାଖଲ କରିଥିବା ସୂଚନା ମୁତାବକ, ଭ୍ରମାତ୍ମକ ସୂଚନା ଓ ମିଥ୍ୟା ଖବର ପ୍ରସାରଣ ଲାଗି ସରକାର ଅନେକ ଆଇନଗତ ବ୍ୟବସ୍ଥା କରିଛନ୍ତି । ସମ୍ୱାଦପତ୍ର ଗୁଡ଼ିକୁ ଭାରତୀୟ ପ୍ରେସ୍ ପରିଷଦ (ପିସିଆଇ) ଦ୍ୱାରା ପ୍ରକାଶିତ ‘ସାମ୍ୱାଦିକ ଆଚରଣର ମାନଦଣ୍ଡ’ ପାଳନ କରିବାକୁ ପଡ଼ିଥାଏ ।
ଏହି ମାନଦଣ୍ଡ ଗୁଡ଼ିକ ଅନ୍ୟ ବିଷୟ ଗୁଡ଼ିକ ସହିତ ମିଥ୍ୟା / ଅପମାନଜନକ / ଭ୍ରମାତ୍ମକ ଖବର ପ୍ରକାଶନକୁ ପ୍ରତିରୋଧ କରେ । ପରିଷଦ ଆଇନର ଧାରା ୧୪ ଅନୁଯାୟୀ, ମାନଦଣ୍ଡର କଥିତ ଉଲ୍ଲଂଘନର ତଦନ୍ତ କରାଯାଇପାରିବ ଏବଂ ସମ୍ୱାଦପତ୍ର, ସମ୍ପାଦକ, ସାମ୍ୱାଦିକ ଇତ୍ୟାଦିଙ୍କୁ ସତର୍କ କରାଯାଇପାରିବ କିମ୍ୱା ଭତ୍ସନା କରାଯାଇପାରିବ । ଟିଭି ଚ୍ୟାନେଲ ଗୁଡ଼ିକ କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅନୁଯାୟୀ କାର୍ଯ୍ୟକ୍ରମ ସଂହିତା ପାଳନ କରିବାକୁ ବାଧ୍ୟ । ଏହି ନିୟମ ଅନୁଯାୟୀ, ଏପରି କୌଣସି କାର୍ଯ୍ୟକ୍ରମ ପ୍ରସାରଣ କରାଯିବା ଉଚିତ୍ ନୁହେଁ ଯେଉଁଥିରେ ଅଶ୍ଳୀଳ, ଅପମାନଜନକ, ଉଦ୍ଧେଶ୍ୟମୂଳକ, ମିଥ୍ୟା ଏବଂ ବିଚାର ଉତେଜକ ଇଙ୍ଗିତ ଏବଂ ଅର୍ଦ୍ଧସତ୍ୟଥାଏ । କେବୁଲ ଟେଲିଭିଜନ ନେଟୱାର୍କ (ସଂଶୋଧନ) ନିୟମ, ୨୦୨୧ରେ ଟିଭି ଚ୍ୟାନେଲଗୁଡ଼ିକ ଦ୍ୱାରା ସଂହିତାର ଉଲ୍ଲଂଘନ ସମ୍ୱନ୍ଧୀୟ ଅଭିଯୋଗଗୁଡ଼ିକର ତଦନ୍ତ କରିବା ପାଇଁ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମ ସଂହିତାର ଉଲ୍ଲଂଘନ କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।
ଡିଜିଟାଲ୍ ମିଡିଆରେ ଖବର ଏବଂ ସାମ୍ପ୍ରତିକ ଘଟଣା ପ୍ରକାଶକଙ୍କ ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ, ୨୦୨୧ (ଆଇଟି ନିୟମ, ୨୦୨୧) ଏକ ଆଚରଣ ସଂହିତାର ବ୍ୟବସ୍ଥା କରିଛି । କେନ୍ଦ୍ର ସରକାରଙ୍କ ସହ ଜଡିତ ମିଥ୍ୟା ଖବର ଯାଂଚ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅଧୀନରେ ନଭେମ୍ୱର, ୨୦୧୯ରେ ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି । ଭାରତ ସରକାରଙ୍କ ମନ୍ତ୍ରଣାଳୟ/ବିଭାଗରେ କ୍ଷମତାପ୍ରାପ୍ତ ଉତ୍ସରୁ ଖବରର ସତ୍ୟତା ଯାଂଚ କରିବା ପରେ, ଏହି ୟୁନିଟ୍ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଠିକ୍ ସୂଚନା ପୋଷ୍ଟ କରେ ।
ସୂଚନା ଆଇନ ୨୦୦୦ର ଧାରା ୬୯କ ଅନୁଯାୟୀ, ସରକାର ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା ଓ ସାର୍ବଜନୀନ ଶୃଙ୍ଖଳାର ହିତରେ ୱେବସାଇଟ୍, ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ପୋଷ୍ଟଗୁଡ଼ିକୁ ବ୍ଲକ୍ କରିବା ପାଇଁ ଆବଶ୍ୟକ ନିର୍ଦ୍ଧେଶ ଜାରି କରନ୍ତି । ସରକାର ଆଇଟି ଆଇନ ୨୦୦୦ ମୁତାବକ ୨୦୨୧ ଫେବୃଆରୀ ୨୫ ତାରିଖରେ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ, ଆଚାର ସଂହିତା) ନିୟମ, ୨୦୨୧ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନିୟମର ଭାଗ- ୩ରେ ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକ ଏବଂ ଅନଲାଇନ୍ କ୍ୟୁରେଟେଡ୍ ବିଷୟବସ୍ତୁ (ଓଟିଟି ପ୍ଲାଟଫର୍ମ) ପ୍ରକାଶକଙ୍କ ପାଇଁ ଏକ ଆଚରଣ ସଂହିତା ପ୍ରଦାନ କରାଯାଇଛି ।
ଓଟିଟି ପ୍ଲାଟଫର୍ମଗୁଡ଼ିକ ବର୍ତମାନ ପ୍ରଚଳିତ ଆଇନ ଦ୍ୱାରା ନିଷିଦ୍ଧ କୌଣସି ବିଷୟବସ୍ତୁ ପ୍ରସାରଣ ନକରିବା ପାଇଁ ବାଧ୍ୟ ଅଟନ୍ତି । ଓଟିଟି ପ୍ଲାଟଫର୍ମଗୁଡ଼ିକ ନିୟମର ସୂଚୀରେ ଦିଆଯାଇଥିବା ସାଧାରଣ ନିର୍ଦ୍ଧେଶାବଳୀକୁ ଆଧାର କରି କାର୍ଯ୍ୟକ୍ରମର ବୟସ-ଭିତିକ ସ୍ୱ- ବର୍ଗୀକରଣ କରିବାକୁ ବାଧ୍ୟ, ଯେଉଁଥିରେ ନଗ୍ନତା ଏବଂ ଲିଙ୍ଗ-ସମ୍ୱନ୍ଧୀୟ ଚିତ୍ରଣ ସମ୍ପର୍କିତ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ପିଲାମାନଙ୍କ ପାଇଁ ବୟସ- ଅନୁପଯୁକ୍ତ ବିଷୟବସ୍ତୁକୁ ପ୍ରତିବନ୍ଧିତ କରିବା ପାଇଁ ଓଟିଟି ପ୍ଲାଟଫର୍ମଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ନିୟମ ରହିଛି ।
ଏହା ବ୍ୟତୀତ, ଆଇଟି ଆଇନ, ୨୦୦୦ର ଧାରା ୭୯(୩)(ବି) ସମ୍ପୃକ୍ତ ସରକାରଙ୍କ ଦ୍ୱାରା ମଧ୍ୟସ୍ଥିମାନଙ୍କୁ ବେଆଇନ କାର୍ଯ୍ୟ କିମ୍ୱା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରେ ଯାହାଦ୍ୱାରା ଏପରି କାର୍ଯ୍ୟକ୍ରମର ପ୍ରବେଶକୁ ଅପସାରଣ/ବନ୍ଦ କରାଯାଇପାରିବ । ସରକାର ୧୯.୦୨.୨୦୨୫ ତାରିଖରେ ଓଟିଟି ପ୍ଲାଟଫର୍ମ ଏବଂ ଓଟିଟି ପ୍ଲାଟଫର୍ମର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକୁ ଏକ ପରାମର୍ଶ ଜାରି କରିଛନ୍ତି ଯାହା ଦ୍ୱାରା ସେମାନଙ୍କର ପ୍ଲାଟଫର୍ମରେ କାର୍ଯ୍ୟକ୍ରମର ପ୍ରସାରଣ କରିବା ସମୟରେ ଭାରତୀୟ ଆଇନ ଏବଂ ଆଇଟି ନିୟମ, ୨୦୨୧ ଅନୁଯାୟୀ ନିର୍ଦ୍ଧାରିତ ଆଚରଣ ସଂହିତାର ପାଳନ ସୁନିଶ୍ଚିତ ହୋଇପାରିବ । ସମ୍ପୃକ୍ତ ମନ୍ତ୍ରଣାଳୟ ସହିତ ଉପଯୁକ୍ତ ପରାମର୍ଶ ପରେ, ବର୍ତମାନସୁଦ୍ଧା ୪୩ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରାଯାଇଛି ।
