କେନ୍ଦ୍ରାପଡା ଜିଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୮/୧୦/୨୦୨୫(ଓଡ଼ିଶା ସମାଚାର)- ବାତ୍ୟା ମନ୍ଥା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ସୋମବାର ରାତିରୁ ମଙ୍ଗଳବାର ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି । ଏହାଦ୍ୱାରା ଲୋକମାନେ ଘରୁ ବାହାରକୁ ବାହାରି ପାରି ନାହାନ୍ତି । ଅତି ଜରୁରୀ କାମ ନ ଥିଲେ କେହି ଘରୁ ବାହାରକୁ ବାହାରି ନଥିଲେ । କାରଣ କେବଳ ବର୍ଷା ହୋଇ ନଥିଲା । ବରଂ ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଥିଲା । ତେଣୁ ବଜ୍ରପାତ ଭୟରେ ପ୍ରାୟ ଲୋକମାନେ ଘରୁ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମନେ କରି ନଥିଲେ । ସେହିପରି ସରକାରୀ କାର୍ଯ୍ୟାଳୟଗୁଡିକ ମଧ୍ୟ ଖାଁ ଖାଁ ଲାଗୁଥିଲା ।

ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଲୋକଙ୍କ ସଂଖ୍ୟା କମ ଥିଲା । କିନ୍ତୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବାରୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲାପାଳ ରଘୁରାମ ଆର. ଆୟାର କାର୍ଯ୍ୟାଳୟରେ ରହି ବିଭିନ୍ନ ବ୍ଲକର ଅବସ୍ଥା ଜରୁରୀକାଳୀନ ଅଧିକାରୀ, ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା କରି ଲୋକଙ୍କ ଅବସ୍ଥା ବୁଝିଛନ୍ତି । କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୯.୬୭ ମିମି ବର୍ଷା ହୋଇଥିବା ବେଳେ ଆଳି ବ୍ଲକରେ ସର୍ବାଧିକ ୪୩ ମିମି, ରାଜକନିକାରେ ୪୦ ମିମି, ପଟ୍ଟାମୁଣ୍ଡାଇରେ ୩୨ ମିମି ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୧୭ ମିମି, ମାର୍ଶାଘାଇରେ ୧୪ ମିମି, ମହାକାଳପଡ଼ାରେ ୧୧ ମିମି, ରାଜନଗରରେ ୧୦ ମିମି, ଗରଦପୁରରେ ୬ ମିମି ଓ ଡେରାବିଶରେ ୪ ମିମି ବର୍ଷା ହୋଇଛି ।

ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଜିଲାପାଳ ଶ୍ରୀ ଆୟାର ସୂଚନା ଦେଇଛନ୍ତି । ଜିଲାପାଳ କହିଛନ୍ତି ବାତ୍ୟା ନିମନ୍ତେ ମୁଖ୍ୟାଳୟ ନ ଛାଡିବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ଲୋକଙ୍କୁ ବାତ୍ୟା ସଂକ୍ରାନ୍ତରେ ସୂଚନା ଦେବା ନିମନ୍ତେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ଜିଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ବ୍ଲକ ଗୁଡିକରେ ବାତ୍ୟା ସୁପରିଚାଳନା ନିମନ୍ତେ ନିୟୋଜିତ କରାଯାଇଛି । ଯୋଗାଣ ବିଭାଗ ଶୁଖିଲା ଖାଦ୍ୟ ମହୁଜୁଦ ରଖିଛି । ଏହି ଖାଦ୍ୟ ବିପନ୍ନମାନଙ୍କୁ ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯିବ । ୪୧ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଗୋଷ୍ଠୀ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡିଜି ସେଟ ପ୍ରସ୍ତୁତ କରି ରଖାଯାଇଛି । ଫଳରେ ବିଦୁ୍ୟତ ସଂଯୋଗ ବିଛିନ୍ନ ହେଲେ ଡାକ୍ତରଖାନାକୁ ଡିଜି ସେଟ୍ ବିଦୁ୍ୟତ ଯୋଗାଇବ । ଫଳରେ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେବ ନାହିଁ । ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ପଟ୍ଟମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଓ ପ୍ରତି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପ କାମୁଡା ଔଷଧ ମହଜୁଦ ରଖାଯାଇଛି । ବିପନ୍ନମାନଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଛି ।

ବିପନ୍ନମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ରାଜୀବଗାନ୍ଧୀ ସେବାକେନ୍ଦ୍ର ପ୍ରସ୍ତୁତ ରଖାଯାଇଛି । ସେଗୁଡିକରେ ପାନୀୟ ଜଳ ନିମନ୍ତେ ଗ୍ରାମାଳରେ ସମସ୍ତ ଓଭରହେଡ଼ ଟାଙ୍କିଗୁଡିକରେ ପାଣି ପୂର୍ଣ୍ଣ କରି ରଖିବା ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି । ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଛନ୍ତି । ଏହା ସହିତ ବିଦୁ୍ୟତ ବିଭାଗ, ଆରଡି, ପିଡବ୍ଲୁ୍ୟଡି ସମେତ ସମସ୍ତ ଲାଇନ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି ବୋଲି ଜିଲା ଜରୁରୀ କାଳୀନ ଅଧିକାରୀ ଅମୀୟ କେତନ ସ୍ୱାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *