ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ

କଟକକୁ ହରାଇ କୁଆରମୁଣ୍ଡା ସେମିଫାଇନାଲରେ
ଭୁବନେଶ୍ୱର,୨୮/୧୦/୨୦୨୫ (ଓଡ଼ିଶା ସମାଚାର)- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ମଙ୍ଗଳବାର ମ୍ୟାଚ ରେ କୁଆରମୁଣ୍ଡା ଏଫ୍.ସି ୩-୨ ଗୋଲରେ କଟକକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ।

କୁଆରମୁଣ୍ଡା ଏଫସିର ଜ୍ୟୋତ୍ସ୍ନା ଲାକ୍ରା, ପୁଷ୍ପା କିସାନ ଏବଂ ଜାହ୍ନବୀ କିସାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ କଟକର ସିଲା ସିଂ ଦୁଇଟି ଗୋଲ୍ ଦେଇଥିଲେ । ଉକ୍ତ ମ୍ୟାଚ୍ ରେ କୁଆରମୁଣ୍ଡା ଏଫସିର ଜର୍ସି ନଂ-୧୮ ଜ୍ୟୋତ୍ସ୍ନା ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା । ଆଲୋକ ଦେହୁରୀ, ଏମ୍.ଏସ୍. ବେଗ୍, ଶିବ ପ୍ରସାଦ ସାମନ୍ତରାୟ ଏବଂ ସୁଜିତ କୁମାର ପାତ୍ର ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶ୍ରୀ ଶିବଶଙ୍କର ପଣ୍ଡା ମ୍ୟାଚ୍ କମିଶନର ଥିଲେ ଏବଂ ସୁଦୀପ୍ତା ଦାସ ମ୍ୟାଚ୍ ସମୀକ୍ଷା କରିଥଲେ ।

ଏହି ମ୍ୟାଚ୍ ରେ ସାମାଜିକ କର୍ମୀ ରଜତ କୁମାର ପାଢୀ, ୪୫ ନମ୍ବର ୱାର୍ଡ଼ର କର୍ପୋରେଟର ଅମରେଶ ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ରଜତ କୁମାର ପାଢୀ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିବା ବେଳେ ସିଟି କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଦାସ, ବନୋଜ ପ୍ରଧାନ, ତିଳୋତମା ଦଳେଇ ଏବଂ ଦୀପକ କୁମାର ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ । ୨୯ ତାରିଖ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ରେ ଓଡ଼ିଶା ପୋଲିସ୍ କଟକ ଏବଂ ତାରିଣୀ ଫୁଟବଲ ଏକାଡ଼େମୀ, କେନ୍ଦୁଝର ମଧ୍ୟରେ ମୁକାବିଲା ହେବ ।

Leave a Reply

Your email address will not be published. Required fields are marked *