ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର, ବିଶାଖାପାଟଣା ରେ ଚିକିତ୍ସାଧିନ

                              ସମ୍ପର୍କୀୟ ଭାଣିଜୀ ମୃତ, ୪ ଗୁରୁତର
ଜୟପୁର, ୨୮/୧୦/୨୦୨୫(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇ ପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ରବିବାର ସନ୍ଧ୍ୟାରେ ପରିବାରର ସେ ଅନ୍ୟ ତିନି ଜଣ ମହିଳା ସଦସ୍ୟ ମଧ୍ୟ ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ । ସେମାନଙ୍କ ମଧ୍ୟରୁ ଜଣେ – ଦିଆନଙ୍କ ଝିଆରୀ ପାର୍ବତୀ ମାଝୀ । ପରେ ଚିକିତ୍ସା ସମୟରେ ପାର୍ବତୀ ମୃତ୍ୟୁବରଣ କରିଥିଲେ ।

ରିପୋର୍ଟ ଅନୁସାରେ, ଜଗଦଲପୁରରୁ ଫେରିଥିବା ପରିବାର ସଦସ୍ୟମାନେ ପଦ୍ମିନୀ ଏବଂ ତିନି ଜଣ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ତୁରନ୍ତ ସେମାନଙ୍କୁ କୋଟପାଡ଼ର କମ୍ୟୁନିଟି ହେଲ୍ଥ ସେଂଟରକୁ ନେଇଯାଇଥିଲେ । ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁରର ଜିଲା ମୁଖ୍ୟାଳୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପଦ୍ମିନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ଦୁଇ ମହିଳାଙ୍କର ଚିକିତ୍ସା ଜୟପୁରର ଡିଏଚଏଚରେ ଜାରି ରହିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହା ଖାଦ୍ୟ ବିଷାକ୍ତର ଏକ ସମ୍ଭାବ୍ୟ ମାମଲା ବୋଲି ସୂଚିତ କରାଯାଉଛି । ତେବେ ଏନେଇ ଅଧିକ ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳ (ବିଜେଡି)ର ଜଣେ ବରିଷ୍ଠ ନେତ୍ରୀ ପଦ୍ମିନୀ ୨୦୧୯ ମସିହାରେ ଓଡ଼ିଶା ସରକାରରେ ବୟନଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *