ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ସାଧୁତା ର ଶପଥପାଠ

ଭୁବନେଶ୍ୱର, ୨୭/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନସ୍ଥିତ ୨ୟ ମହଲା ପ୍ରାଙ୍ଗଣରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁତାର ଶପଥପାଠ କରାଇଥିଲେ।

ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ ଏବଂ ଏହାର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏ ସଂପର୍କରେ କେନ୍ଦ୍ରୀୟ ସତର୍କତା ଆୟୋଗ ଙ୍କର ନିର୍ଦ୍ଦେଶାବଳୀ କୁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାଠ କରିବା ସଙ୍ଗେସଙ୍ଗେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନ ର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନେବା ନାହିଁ ଏବଂ ଦେବା ନାହିଁ, ସମସ୍ତ ଦାୟିତ୍ୱକୁ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଏବଂ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖି ଉଦାହରଣ ସୃଷ୍ଟି କରିବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

ପ୍ରକାଶ ଥାଉକି, ଅକ୍ଟୋବର୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଅବସ୍ଥିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଜିଲ୍ଲାସ୍ତରରେ ମଧ୍ୟ ଆଜି ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଯାଇଛି ।

-0-

ପଠାଣି ରାଉତ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *