ଯାଜପୁର,୨୭/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ନିମନ୍ତେ ଏକ ସାଧାରଣ ସଭା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ସାଇବର ଅପରାଧ ରୋକିବା ପାଇଁ ସମାଜର ସମସ୍ତ ସ୍ତରରେ ସଚେତନତା ଓ ଶିକ୍ଷା ବିସ୍ତାର ପାଇଁ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଯୋଗଦେଇ ଶ୍ରୀ କର କହିଲେ ଆଜିର ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଅନ୍ତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି। ଏହା କେବଳ ସରକାର କିମ୍ବା ପୋଲିସଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକ ମଧ୍ୟ ସଚେତନ ରହିବା ଓ ଅନଲାଇନ ତଥ୍ୟ ସୁରକ୍ଷିତ ରଖିବା। ସାଇବର ଅପରାଧୀମାନେ ବିଭିନ୍ନ ନୂତନ ଉପାୟ ଦ୍ୱାରା ଲୋକଙ୍କୁ ଠକୁଛନ୍ତି, ତେଣୁ ବ୍ୟାଙ୍କ ଖାତା, ଆଧାର ସଂଖ୍ୟା, ଓଟିପି, ପାସୱାର୍ଡ ଭଳି ଗୁପ୍ତ ତଥ୍ୟ କାହାକୁ ମଧ୍ୟ ଦେବା ଉଚିତ ନୁହେଁ ।

ସଚେତନତା କାର୍ଯ୍ୟକ୍ରମ ଗ୍ରାମ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଉକ୍ତ ବୈଠକରେ ଯୋଗଦେଇ ମାନ୍ୟବର ବିଧାୟିକା, ଯାଜପୁର, ଶ୍ରୀମତୀ ସୁଜାତା ସାହୁ କହିଲେ ସାଇବର ଅପରାଧ ଏକ ଅଦୃଶ୍ୟ ବିପଦ ଯାହା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା । ବିଶେଷକରି ଯୁବ ପିଢ଼ିଙ୍କ ମଧ୍ୟରେ ସାଇବର ଅପରାଧ ସମ୍ବନ୍ଧୀୟ ଜ୍ଞାନ ଓ ସଚେତନତା ବିସ୍ତାର କରିବା ଦରକାର।

ଏହି ବୈଠକରେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ୍ କହିଲେ ଆଜି ଆମେ ସାଇବର ସୁରକ୍ଷା ଅଭିଯାନରେ ସଂଘଟିତ ହୋଇଛୁ, ଯେଉଁଠାରେ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସାଇବର ଜଗତରେ ସଚେତନ ନାଗରିକ ଗଠନ କରିବା ଓ ସାଇବର ଅପରାଧ ରୋକିବା। କୌଣସି ବ୍ୟକ୍ତି ସାଇବର ଅପରାଧ ର ଶିକାର ହେଉଥିଲେ ପୁଲିସ ସହ ସହଯୋଗ କରନ୍ତୁ । କୌଣସି ସାଇବର ଠକିବା ଘଟଣା ଘଟିଲେ, ତୁରନ୍ତ ୧୯୩୦ ନମ୍ବର ହେଲ୍ପଲାଇନକୁ ଫୋନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ନାଗରିକ ସାଇବର ସଚେତନ ହେବା, ଜିଲ୍ଲା ସାଇବର ଠକିବା ମୁକ୍ତ ହେଉ – ଏହା ଆମର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ ।

ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଡିନ୍ ତଥା ଅଧ୍ୟକ୍ଷ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଡ଼ା. ସୀତାରାମ ମହାପାତ୍ର, ସୁପରିଣ୍ଟେଡେଣ୍ଟ ଡା.ମନୋରମା ସ୍ବାଇଁ, ଅବକାରୀ ଅଧିକ୍ଷକ,ଶ୍ରୀ ଦିବ୍ୟ କିଶୋର ଟଣ୍ଡେଲ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ଶ୍ରୀ ପ୍ରବୋଧ କୁମାର ନାୟକ ଉପସ୍ଥିତ ରହି ସାଇବର ଅପରାଧ ଓ ଏହାର ନିରାକରଣ ଓ ସଚେତନତା ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।
ସାଧାରଣ ସଭା ପରେ ସାଇବର ଅପରାଧ ସଚେତନତା ନିମନ୍ତେ ଏକ ସଚେତନତା ରଥ କୁ ମାନ୍ୟବର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାରେ ଭ୍ରମଣ କରି ସମସ୍ତଙ୍କୁ ସାଇବର ଅପରାଧ ସଚେତନତା ବାର୍ତ୍ତା ପହଞ୍ଚାଇବ।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ ମାଝୀ ସାଇବର ଠକେଇ ଓ ଏହାର ସୁରକ୍ଷା ଉପରେ ସୂଚନା ପ୍ରଦାନ କରିଥିଲେ। ଆହ୍ୱାନ ଥିଏଟର ଗ୍ରୁପ କଳାକାର ମାନେ ସାଇବର ସୁରକ୍ଷା ଉପରେ ଏକ ସଚେତନ ଧର୍ମୀ ନାଟକ ପରିବେଷଣ କରିଥିଲେ।ଉପଆରକ୍ଷୀ ଅଧିକ୍ଷକ ଟାଉନ ଥାନା ଶ୍ରୀ ଶରତ ପାତ୍ର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ଅଫ ଇଣ୍ଡିଆ ସହାୟତା କରିଥିଲେ।
