ମାହାଙ୍ଗା,୨୫/୧୦/୨୦୨୫(ଓଡ଼ିଶା ସମାଚାର)- ଗତ ୨୦୨୪ ନଭେମ୍ବର ୨୬ ତାରିଖରେ କୁଆଁପାଳ ଛତିଆ ରାସ୍ତାର କୋଠପଦା ବଡ଼ପୋଲ ନିକଟରେ ଏକ ରାହାଜାନି ଘଟଣାରେ ମାହାଙ୍ଗା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥାନା କେସ୍ ନଂ ୩୯୭/୨୪ରେ ମାହାଙ୍ଗା ଜେଏମଏଫସି ଅଦାଲତକୁ ଚାଲାଣ କରିଥିଲା । ଜିଆର୍ କେସ ନଂ୧୭/୨୪ରେ ଏହି ମାମଲାର ଶୁଣାଣି ଜାରି ରହିଥିଲା ।
ଏହି ଘଟଣାର ମାହାଙ୍ଗା ଜେଏମଏଫସି ବିଚାରପତି ଶର୍ମିଷ୍ଠା ଜେନା ବିଚାର କରି ଅଭିଯୁକ୍ତ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମର ସୁନାକର ନାୟକ(୨୪), ଚନ୍ଦନ ନାୟକ(୨୩) ଓ କେନ୍ଦ୍ରାପଡ଼ା ଜିଲା ଗରାପୁର ଗ୍ରାମର ତ୍ରିଲୋଚନ ପାତ୍ର (୨୫) ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ କରିଛନ୍ତି ।
ଜୋରିମାନା ଅର୍ଥ ଅନାଦେୟ ହେଲେ ଅଦାଲତ ୪ ମାସ ଅତିରିକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରୀ ଓକିଲ ମାନସ କୁମାର ଦାସ ଓ ପ୍ରମୋଦ କୁମାର ବାରିକ ଏହି ମାମଲାର ପରିଚାଳନା କରିଥିଲେ । ଅପର ପକ୍ଷରେ ମାହାଙ୍ଗା ଜେଏମଏଫସି କୋର୍ଟ ଏକ ବର୍ଷ ମଧ୍ୟରେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତ୍ୱରିତ ନ୍ୟାୟ ପ୍ରଦାନ କରିଥିବାରୁ ମାହାଙ୍ଗାବାସୀ ଏହାକୁ ସ୍ୱାଗତ କରିଛନ୍ତି ।
