ଭିଜିଲାନ୍ସ ତଦନ୍ତ ଦାବି କଲେ ପୂର୍ବତନ ବିଧାୟିକା ସିପ୍ରା
କେନ୍ଦ୍ରାପଡ଼ା,୨୪/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ରାସ୍ତା ଆଲୋକୀକରଣ ପ୍ରକଳ୍ପରେ ଏକ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଦୁର୍ନୀତି ହୋଇଛି । ଠିକାଦାର, ଯନ୍ତ୍ରୀ, ସରକାରୀ ଅଧିକାରୀ, ରାଜନେତା ମିଳିମିଶି ସରକାରୀ ଅନୁଦାନ ହରିଲୁଟ କରିଛନ୍ତି । ଯାହାଫଳରେ ଏହି ପଂଚାୟତରେ ଗୋଟିଏ ଦୁଇଟି ଲାଇଟକୁ ଛାଡିଦେଲେ ବାକି ଲାଇଟର ଚିହ୍ନବର୍ଣ୍ଣ ନାହିଁ । କେବଳ କାଗଜ କଲମରେ ଏହି ପ୍ରକଳ୍ପ ଶେଷ କରାଯାଇ ବିଲ କରାଯାଇଛି । ଏଥିରେ ଯେଉଁ ବଡ ଧରଣର ଦୁର୍ନୀତି ହୋଇଛି ଓ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଜିଲାପାଳ ରଘୁରାମ ଆର.ଆୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଡ. ମଲ୍ଲିକ ଶୁକ୍ରବାର ଜିଲାପାଳଙ୍କୁ ଭେଟି ଏହି ଦୁର୍ନୀତି ସଂକ୍ରାନ୍ତରେ ଖୋଳତାଡ କରି ଏହାର ଭିଜିଲାନ୍ସତଦନ୍ତ କରାଇବା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏସଂକ୍ରାନ୍ତରେ ଡ. ମଲ୍ଲିକ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଥ ଆଲୋକୀକରଣ ନିମନ୍ତେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରାୟ ଏକ କୋଟି ଟଙ୍କା ସଂସଦୀୟ କ୍ଷେତ୍ର ଆଂଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରିଥିଲେ । ସେଥିମଧ୍ୟରୁ କେବଳ ଚକ୍ରୋଡା ଗ୍ରାମପଂଚାୟତକୁ ୬୪ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ସେହିପରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ତାଙ୍କ ପାଣ୍ଠିରୁ ୪୦ଲକ୍ଷରୁ ଉଦ୍ଧ୍ୱର୍ ଅନୁଦାନ ପ୍ରଦାନ କରିଥିଲେ । ପଂଚାୟତ ରାସ୍ତାକୁ ଆଲୋକୀକରଣ କରିବା ଉଦ୍ଧେଶ୍ୟରେ ଉଭୟ ସାଂସଦ ଏହି ଅର୍ଥ ପ୍ରଦାନ କରିଥିଲେ ।
ଚକ୍ରୋଡା ଗ୍ରାମପଂଚାୟତର ୫,୧୫ ଓ ୧୮ନମ୍ବର ୱାର୍ଡରେ ପଥ ଆଲୋକୀକରଣ ଯୋଜନାରେ ବିନିଯୋଗ କରାଯାଇଥିବା କାଗଜକଲମରେ ଦର୍ଶାଯାଇଛି । କିନ୍ତୁ ଏଥି ନିମନ୍ତେ ବିଦୁ୍ୟତ ବିଭାଗରୁ ଫିଜିବିଲିଟି ରିପୋର୍ଟ କିମ୍ବା ବୈଷୟିକ ମଞ୍ଜୁରୀ ନିଆଯାଇ ନାହିଁ । ବିଦୁ୍ୟତ ବିଭାଗର ଅଗୋଚରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ଅର୍ଥରେ ଅତ୍ୟନ୍ତ ନିମ୍ନମାନର ଅନାମଧେୟ କମ୍ପାନୀର ସାମଗ୍ରୀ ହାତଗଣତି କେତେକ ସ୍ଥାନରେ ବ୍ୟବହାର କରାଯାଇଥିବା ବେଳେ ବାକି ସ୍ଥାନରେ ଖୁଂଟି ଓ ଆଲୋକ ବ୍ୟବସ୍ଥା କରାଯାଇଥିବା କାଗଜ କଲମରେ ଦର୍ଶାଯାଇଛି । ପ୍ରକଳ୍ପରେ ବହୁ ଅଧିକ ଅର୍ଥ ବ୍ୟୟ ହୋଇଥିବା ଦର୍ଶାଯାଇଥିବା ବେଳେ ପ୍ରକୃତରେ ଅଟ୍ଟକଳ ଅର୍ଥର ୨୫ପ୍ରତିଶତ ମଧ୍ୟ ବ୍ୟୟ ହୋଇନାହିଁ । ପ୍ରକଳ୍ପଟି ବିଦୁ୍ୟତ ବିଭାଗ ବଦଳରେ କେନ୍ଦ୍ରାପଡା ବ୍ଲକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି ।
ଏହି ପ୍ରକଳ୍ପ ଗ୍ରାମ୍ୟ ବିଦୁ୍ୟତକରଣ କର୍ତୃପକ୍ଷଙ୍କ କିମ୍ବା ଟିପିସିଓଡିଏଲ ଜରିଆରେ କାର୍ଯ୍ୟକାରୀ କରାନଯାଇ ବ୍ଲକ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବାରୁ ଏହାର ବୈଷୟିକ ତଦାରଖ, ମୂଲ୍ୟାୟନ ଏବଂ ବ୍ୟବହୃତ ବିଦୁ୍ୟତ ସାମଗ୍ରୀର ମାନ ଓ ସ୍ଥାୟୀତ୍ୱ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଏହି ପ୍ରକଳ୍ପ କାର୍ଯ୍ୟର ତଦନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ପ୍ରାକ୍ତନ ବିଧାୟିକା ଡ. ମଲ୍ଲିକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ର ଗ୍ରହଣ କରିବା ପରେ ଏହାର ବିଧିବଦ୍ଧ ତଦନ୍ତ ହେବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଜିଲା କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୁଷଣ ନନ୍ଦ, ତରନୁମ ବେଗମ, ରଶ୍ମୀରଞ୍ଜନ ଚୌଧୁରୀ, ଉମେଶ ପାଢୀ, ଅଶୋକ ମୋହନ ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
