ଓଡ଼ିଶାକୁ “ବିହନ ହବ୍’ରେ ପରିଣତ କରିବାକୁ ଆହ୍ୱାନ

ଭୁବନେଶ୍ୱର,୨୪/୧୦/୨୦୨୫(ଓଡ଼ିଶା ସମାଚାର)-ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର ବିଷୟରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରେ ଅନୁପ୍ରାଣିତ ହୋଇ ଡାଲି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଓଡ଼ିଶା କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ରାଜ୍ୟରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତି ନେଇଛି ।

ଆଇସିଆରଆଇଏସଏଟି ଦ୍ୱାରା ବିକଶିତ ଆଇସିପିଭି ୨୫୪୪୪ ନାମକ ଏକ ହରଡ଼ ପ୍ରଜାତି, ଯାହା ସବୁ ଋତୁରେ ଚାଷ କରାଯାଇପାରିବ, ଏହା ୪୫ ସେଲସିୟସ୍ ପର୍ଯ୍ୟନ୍ତ ତୀବ୍ର ଉତାପ ସହନଶୀଳ ଏବଂ ୧୨୦ଦିନ ସମୟ ମଧ୍ୟରେ ଉତ୍ପାଦନ କରାଯାଇପାରିବା ଭଳି ପ୍ରଜାତି ବିକଶିତ ହୋଇଛି । ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପରିପ୍ରେକ୍ଷୀରେ ଏହି କିସମ ଏକ ଯୁଗାନ୍ତକାରୀ ପରିବର୍ତକ ହୋଇପାରିବ । ଉପମୁଖ୍ୟମନ୍ତ୍ରୀ ଉପରୋକ୍ତ ବିକଶିତ ହରଡ଼ କିସମ ସହିତ ଡଙ୍ଗରରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ କିସମ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ବିଲୁପ୍ତ ପ୍ରାୟ କିସମ ବର୍ଗରେ ଆସୁଅଛି ।

ଡାଲିରେ ଆତ୍ମନିର୍ଭର ଅଧୀନରେ ଓଡ଼ିଶା ଏକ “ବିହନ କେନ୍ଦ୍ର’ ହେବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଧେଶକ ଶୁଭମ ସକ୍ସେନା, ଉଦ୍ୟାନ ନିର୍ଦେଶକ କାଲୁେଙ୍ଗ ଗୋରଖ ୱାମନ, କୃଷି ବିଭାଗ, ଉଦ୍ୟାନ ନିର୍ଦେଶାଳୟ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଧେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *