ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଜଗତସିଂହପୁର,୨୪/୧୧/୨୦୨୪(ଓଡ଼ିଶା ସମାଚାର)- ଗତ କାଲି ଠାରୁ  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆରମ୍ଭ ହେଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଦ୍ଵିତୀୟ ତଥା ଅନ୍ତିମ ଦିବସ ଆଜି ପାଳନ ହୋଇଥିଲା । ପ୍ରଥମେ ମଂଚ ଉପରେ କିଛି ସଫଳ ଚାଷୀଙ୍କ କାହାଣୀ ପରଦା ଉପରେ ଦେଖା ଯାଇଥିଲା ,ଯାହାକି ଅନ୍ୟ ଚାଷୀଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାସହ ପଥପ୍ରଦର୍ଶକ ହୋଇଥିଲା । ସଭା କାର୍ଯ୍ୟର ପ୍ରାରମ୍ଭରେ ଚାଷୀ ଓ ବୈଜ୍ଞାନିକ ମାନଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପ୍ରଶ୍ନର ଉତ୍ତର ବିଶେଷଜ୍ଞମାନଙ୍କ ଦ୍ୱାରା ଦିଆଯାଇଥିଲା ତଥା ଉନ୍ନତ ଏବଂ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼ାଃ କୃଷ୍ଣ ଚନ୍ଦ୍ର ଦାସ, ପ୍ରମୁଖ ବୈଜ୍ଞାନିକ, ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର, ଡଃ ଲକ୍ଷ୍ମଣ ସାହୁ, ବରିଷ୍ଠ  ବୈଜ୍ଞାନିକ, ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର, ଶ୍ରୀ ଅମ୍ବିକା ପ୍ରସାଦ ନାୟକ,ବୈଜ୍ଞାନିକ (ମତ୍ସ୍ୟ ), କୃଷି ବିଜ୍ଞାନ କେନ୍ଦ୍ର, ପୁରୀ ଏବଂ ଶ୍ରୀମତୀ ସରିତା ଦାସ, ସହକାରୀ କାର୍ଯ୍ୟକର୍ତ୍ତା ( ମତ୍ସ୍ୟ), କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ।

ମଧ୍ୟାହ୍ନ ଭୋଜନ ପରେ ଏକ ପଥପ୍ରାନ୍ତ ନାଟକ ପତିତପାବନ ଲୋକ ନୃତ୍ୟ ସଂସ୍ଥା ଦ୍ୱାରା ପରିବେଷଣ କରାଯାଇଥିଲା । ଏହାପରେ ଉଦଯାପନୀ ଦିବସର ସାଧାରଣ ସଭା ଜିଲ୍ଲା ମୁଖ୍ୟ ପ୍ରଣିଚିକିତ୍ସା ଅଧିକାରୀ ଡା କୈଳାଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା।  ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଜଗତସିଂହପୁର, ମୁଖ୍ୟ ଅତିଥି ଯୋଗଦେଇ ଚାଷୀ ଭାଇ ଭଉଣୀମାନଙ୍କୁ ପଶୁପାଳନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ପ୍ରାଣୀଧନରେ ଦେଶର ମାନ ବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ ଓ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ସହିତ ଗୋ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।  ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧ୍ୟକ୍ଷା, ଜଗତସିଂହପୁର ପୌର ପରିଷଦ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କହିଲେ ଯେ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ଜନସାଧାରଣ ନିକଟରେ କିପରି ପହଞ୍ଚି ପାରିବ ସେଥିନିମନ୍ତେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ସଚେତନତା କରାଯାଉଅଛି। ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ଶ୍ରୀମତୀ ସିଂହ କହିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ କୁମାରୀ ରେଶମା ରାଣୀ ସିଂ ସ୍ୱାଗତ ସମ୍ଭାଷଣ ପରିବେଷଣ କରିଥିଲେ ଏବଂ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ସିମ୍ଫୋନି ମହାନ୍ତି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିରିଡି ବ୍ଲକର ଶ୍ରୀ ଜ୍ୱାବେଦ ଅହମଦ ଖାଁଙ୍କୁ ଗୋପାଳନ, ରଘୁନାଥପୁର ବ୍ଲକର ଶ୍ରୀ ସଞ୍ଜୟ କୁମାର ସ୍ଵାଇଁ  ଙ୍କୁ କୁକୁଡ଼ା ପାଳନ ଓ ଅଜୟ କୁମାର ଦ୍ବିବେଦୀଙ୍କୁ ମାଛ ଯାଆଁଳା ଉତ୍ପାଦନ ତଥା ଏରସମା ବ୍ଲକର ସତ୍ୟରଞ୍ଜନ ରାଉତରାୟଙ୍କୁ ମତ୍ସ୍ୟ ପୋଖରୀ ଯୋଜନାରେ ଉଲ୍ଲେଖନୀୟ ସଫଳତା ଅର୍ଜନ  ପାଇଁ  ମାନପତ୍ର ସହ ପ୍ରୋତ୍ସାହନ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ।

ଜିଲ୍ଲା କଳା ଓ ସଂସ୍କୃତି ସଂଘ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକି ଦର୍ଶକ ମାନଙ୍କୁ ବିମୋହିତ କରି ରଖିଥିଲା । ଏହି ଅବସରରେ ଦଧିବାମନ ଜୀଉ ସାଂସ୍କୃତିକ ସଂଗଠନ , କେନ୍ଦ।ଳ ଦ୍ୱାରା ଭଜନ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା, ଲକ୍ଷ୍ମୀପ୍ରିୟା ଦାସ ପାଲା ପରିବେଷଣ କରିଥିଲେ । ଏତଦ ବ୍ୟତୀତ ସୁରଭି ପ୍ରତିଯୋଗିତା ବିଜେତା ସୁଶ୍ରୀ ପ୍ରିୟଦର୍ଶିନୀ ନାୟକଙ୍କ ସଂଗୀତ ତଥା ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିଶେଷ ଭାବେ ଆନନ୍ଦ ପ୍ରଦାନ କରିଥିଲା ।

 ଏହି ଅବସରରେ ମେଳାରେ ଆୟୋଜିତ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଓ ଜୀବନ୍ତ ପ୍ରାଣୀ ଏବଂ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ ସହ ଗୋସମ୍ବର୍ଧନା ରେ ପ୍ରଦର୍ଶିତ ଉନ୍ନତ ମାନର ଗୋ ବଛା ସଭିଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ପରିଚାଳନାରେ ସାହାଯ୍ୟ କରିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ ଭାଇଭଉଣୀ, ଜନ ସାଧାରଣ, ବୁଦ୍ଧଜୀବୀ ତଥା ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *