୪୩ବର୍ଷରେ ପହଁଚିଲା ଶ୍ରୀଚନ୍ଦନପୁର ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା 

ପାଟକୁରା ୨୩/୧୦/୨୦୨୫ (ଓଡିଶା ସମାଚାର )କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ ଅଧୀନ ଶ୍ରୀଚନ୍ଦନପୁର ଗ୍ରାମରେ ବୁଧବାର ଠାରୁ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି । ଏହା ଆଠ ଦିନ ପର୍ୟ୍ୟନ୍ତ ଚାଲିବ । ଏହି ପୂଜା ଦୀର୍ଘ ୪୩ବର୍ଷ ହେବ ଗ୍ରାମର ପୂଜା ମଣ୍ଡପରେ ହୋଇଆସୁଛି । ପୂଜାମଣ୍ଡପରେ ଭଗବାନ ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ଧାରଣର ମୃଣ୍ମୟୀ ମୂର୍ତ୍ତୀ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ଓ ତୋରଣମାଳାରେ ବେଶ ଆକର୍ଷଣୀୟ ଦେଖା ଯାଉଛନ୍ତି । ଗ୍ରାମର ସମସ୍ତଙ୍କ ଘର ଲିପାପୋଛା ହୋଇ ଦୁଆର ମୁଁହରେ ପୂର୍ଣ୍ଣ କଳସୀ ମାନ ବସାଯାଇଛି । ଏହି ଆଠ ଦିନ ପୂଜା ମଧ୍ୟରେ ଗ୍ରାମ ମଧ୍ୟକୁ ଆମିଷ ବାରଣ କରାଯାଇଛି ।

ଦୈନିକ ସନ୍ଧ୍ୟାରେ ମଣ୍ଡପ ନିକଟରେ ଭଜନ କୀର୍ତନ,ପାଲା ପରିବେଷଣ ପରିବେଷକୁ ଅଧିକ ଉତ୍ସବ ମୁଖରିତ କରୁଛି । ଆଖ ପାଖ ଗ୍ରାମ ଗୁଡିକରେ ଗିରିଗୋବର୍ଦ୍ଧନ ପୂଜା ହେଉନଥିବାରୁ ଓ ପାଣିପାଗ ଅନୁକୂଳ ଥିବାରୁ ଶ୍ରଚନ୍ଦନପୁର ଗ୍ରାମରେ ସନ୍ଧ୍ୟା ସମୟରେ ଠାକୁର ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ଧାରଣ ବେଶକୁ ପୂଜାମଣ୍ଡପରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ହେଉଛି କ୍ଷ ପୂଜାମଣ୍ଡପ ନିକଟରେ ଠାକୁରଙ୍କୁ ଦର୍ଶନ କରିବା ଓ ଠାକୁରଙ୍କ ମହିମା ଉପରେ ଆଧାରିତ ଭକ୍ତି ସଂଗୀତ ଶ୍ରଦ୍ଧାଳୁ ମାନଙ୍କୁ ଶୁଣାଇବାପାଇଁ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଛି ।

ବିଭିନ୍ନ ସନ୍ଧ୍ୟରେ ଭଜନ ସମାରୋହ,କଟକର ଭକ୍ତିକଣ୍ଠ ଭଜନ ସନ୍ଧ୍ୟା,କୁମାର ଜାନୁ ରାଉତଙ୍କ କଣ୍ଠରେ ଭକ୍ତି ସଂଗୀତ,ସାଇ ଡାନ୍ସ ଗ୍ରୁପ କେନ୍ଦ୍ରାପଡା ର କଳାକାରମାନଙ୍କ ଦ୍ୱାରା ସଂଗୀତ ନୃତ୍ୟ ପରିବେଷଣ,ସଂଚାର ଡାନ୍ସ ଗ୍ରୁପ ଭଦ୍ରଖ,କ୍ରିଷ୍ଣା ଡାନ୍ସ ଗ୍ରୁପ ଜଗସିଂହପୁର,ଉତ୍କଳିକା ଡାନ୍ସ ଗ୍ରୁପ କଟକ ର କଳାକାର ମାନଙ୍କ ଦ୍ୱାରା ସଂଗୀତ ନୃତ୍ୟ ପରିବେଷଣ କରିବା ପାଇଁ ଆୟୋଜନ କରାଯାଇଛି । ପ୍ରତ୍ୟେକ ଦିନ ମଧ୍ୟାହ୍ନ ରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ସ ଠାକୁରଙ୍କ ପୂଜା ପାଇଁ ପଣ୍ଡିତ ହରେକୃଷ୍ଣ ମିଶ୍ର ଓ ନୃସିଂହ ମିଶ୍ର ସମର୍ପିତ ଥିବାବେଳେ କର୍ତ୍ତା ଭାବେ ଦୀପକ ନାୟକ ଓ ପତ୍ନୀ କରୀସ୍ମିତା ନାୟକ ପୂଜା ମଣ୍ଡପ ନିକଟରେ ନିଷ୍ଠାର ସହକାରେ କାର୍ୟ୍ୟ ସମ୍ପାଦନ କରୁଛନ୍ତି । ଶ୍ରୀଶ୍ରୀ ଗିରିଗୋବର୍ଦ୍ଧନ ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଠାକୁର ଗିରିଗୋବର୍ଦ୍ଧନଙ୍କ ପୂଜା ସୁରୁଖୁରୁରେ ଅନୁଷ୍ଠିତ ହୋଇଆସୁଛି ।

Leave a Reply

Your email address will not be published. Required fields are marked *