ପଙ୍କପାଳ ଦୁର୍ଗା ମଣ୍ଡପ ରୁ ଚୋରି ପୂଜା ସାମଗ୍ରୀ ଉଦ୍ଧାର, ୬ ଜଣ ଗିରଫ

ଜଗତସିଂପୁର ,୨୦/୧୦/୨୦୨୫(ଓଡ଼ିଶା ସମାଚାର)- ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗା ଥାନା ପୋଲିସ ଏକ ଦ୍ରୁତ କାର୍ୟ୍ୟାନୁଷ୍ଠାନରେ ପଙ୍କପାଳ ଦୁର୍ଗା ମଣ୍ଡପ ରୁ ଚୋରି ହୋଇଥିବା ପିତ୍ତଳ ପୂଜା ସାମଗ୍ରୀ, ଜେନେରେଟର, ଏଲଇଡି ଲାଇଟ୍ ଏବଂ ଅନ୍ୟାନ୍ୟ ପବିତ୍ର ସାମଗ୍ରୀ ଉଦ୍ଧାର କରିଛି।


ଅଭିଯୁକ୍ତ ଗୁଣ୍ଡି ଓରଫ ପ୍ରଶାନ୍ତ କୁମାର ସାହୁଙ୍କ ସ୍ୱୀକାରୋକ୍ତି ଆଧାରରେ, ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଘଣ୍ଟା ମଧ୍ୟରେ ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଙ୍କପାଳ ମା’ ଦୁର୍ଗାପୂଜା କମିଟିର ସଭାପତି ଆଶୁତୋଷ କଣ୍ଠଙ୍କ ଅଭିଯୋଗ କ୍ରମେ କୁଜଙ୍ଗ ଥାନା ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପାଲତୁ ଓରଫ ସୁବ୍ରତ ଦାସ (୨୮), କାହ୍ନା ଓରଫ ସାଗର ପ୍ରଧାନ (୧୯), ଲିଟୁ ଓରଫ ପ୍ରଭଞ୍ଜନ ନାୟକ, ତପନ ଓରଫ ଜଗନ୍ନାଥ ପରିଡ଼ା (୩୮), ଗୁଣ୍ଡି ଓରଫ ପ୍ରଶାନ୍ତ କୁମାର ସାହୁ (୨୧) , ମାନୁ ଓରଫ ମନୋଜ ପ୍ରଧାନ (୧୯)।

ପାଲତୁ ନାମରେ ୧୨ଟି, କାହ୍ନା ନାମରେ ୩ଟି, ଲିଟୁ ନାମରେ ୪ଟି, ତପନ ନାମରେ ୬ଟି ଓ ଗୁଣ୍ଡି ନାମରେ ଗୋଟିଏ ପୂର୍ବରୁ ମାମଲା ରହିଛି। ମନୋଜ ନାମରେ କୌଣସି ମାମଲା ନାହିଁ। ଅଭିଯୁକ୍ତମାନଙ୍କ ଠାରୁ ପିତଳ ଥାଳି, ଘଣ୍ଟ, ଅଖଣ୍ଡ ଦୀପ, ଉପଚାର ପତ୍ର, ଧୂପଦାନୀ, ଦୀପଷ୍ଟାଣ୍ଡ, ଏଲଇଡି ଲାଇଟ୍, ଜେନେରେଟର, ଚାମର ଓ ଅନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି। ସେହିପରି ୨ଟି ବାଇକ୍ ଓ ଗୋଟିଏ ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *