ପୁରୀ, ୧୭/୦୭/୨୦୨୬ (ଓଡ଼ିଶା ସମାଚାର)- ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ଗତ କାଲି ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରାରେ ଅଘଟଣ ଘଟିଛି। ଦଳଚକଟାରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା କୁହାଯାଉଛି। ମରୀଚିକୋଟ ଛକ ନିକଟ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। କେତେକ ବ୍ୟକ୍ତି ତଳେ ପଡ଼ିଯାଇଥିବା ବେଳେ ଆଉ କିଛି ସେମାନଙ୍କ ଉପରେ ଚଢ଼ି ଯାଇଥିଲେ। ଘଟଣାସ୍ଥଳରୁ ୭ଜଣ ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଅନୀଲ କୁମାର ଦାସ (୩୩), କୁସୁମ ସନ୍ଧ୍ୟା (୬୦) ଓ ହରବିନ୍ଦ ସିଂହଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନୀଲଙ୍କ ଘର କଟକ ଜିଲା ତଥା କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ନଵଗ୍ରାମ ରାଧାନଗର ଗ୍ରାମରେ ହୋଇଥିବା ବେଳେ ସେ ଅବିବାହିତ ଯୁବକ । କୁସୁମ ମଧ୍ୟପ୍ରଦେଶ ରେୱା ଅଞ୍ଚଳର ବାସିନ୍ଦା। ଅନୀଲ ଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଆଜି ଶୁକ୍ରବାର ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହି ଆହତଙ୍କ ଚିକିତ୍ସାର ତଦାରଖ କରୁଛନ୍ତି।
ଅନ୍ୟପକ୍ଷରେ, ଭିଡ଼ ଭିତରେ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବା ୧୪ ଶ୍ରଦ୍ଧାଳୁ ନିଖୋଜ ଥିବା ସେମାନଙ୍କ ପରିବାର ଅଭିଯୋଗ କରିଛନ୍ତି। ସେହିପରି ସମୁଦ୍ରରେ ଗାଧୋଇବା ବେଳେ ଗୁରୁତର ହୋଇଥିବା ଜଣେ ପର୍ୟ୍ୟଟକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ରଥଯାତ୍ରାରେ ଦଳାଚକଟା ହୋଇନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିପୁଳ ଭକ୍ତଙ୍କ ସମାଗମ ଓ ଲଗାଣ ବର୍ଷା ଯୋଗୁଁ କିଛି ସ୍ବାସ୍ଥ୍ୟ ସମସ୍ୟା ନଜରକୁ ଆସିଥିଲା। ଏହି ସମୟରେ ୭ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ।
ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଥିମଧ୍ୟରୁ ଜଣେ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭକ୍ତଙ୍କର ଦୁର୍ଭଗ୍ୟବଶତ ମୃତ୍ୟୁ ଘଟିଥିଲା। ତେବେ ଏହାର ସଠିକ କାରଣ ଜଣାପଡ଼ିନାହିଁ। ପୃଥକ୍ ଭାବରେ ଆଉ ଏକ ଘଟଣାରେ ଅନ୍ୟଜଣେ ଭକ୍ତଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ସୁସ୍ଥ କରାଯିବା ପରେ ଡିସ୍ଚାର୍ଜ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରାୟ ୪ରୁ ୫ ଲକ୍ଷ ଭକ୍ତ ଆସିଛନ୍ତି। ଆହୁରି ଭିଡ ବଢିବାର ସମ୍ଭାବନା ରହିଛି। ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଛନ୍ତି। ପୁଲିସ ଆଡଭାଇଜାରି ମାନିବାକୁ ଅପିଲ କରିଛନ୍ତି ଡିଜିପି।
ନିଜେ ଶୃଙ୍ଖଳିତ ଦର୍ଶନ କରିବା ସହ ଅନ୍ୟକୁ ଦର୍ଶନ ପାଇଁ ସୁଯୋଗ ଦିଅନ୍ତୁ। ରଥଯାତ୍ରା, ବାହୁଡା ଏହାପରେ ସୁନାବେଶରେ ମଧ୍ୟ ଭିଡ ହେବ। ଏଣୁ ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଶ୍ରୀ ମାଝୀ ଦିବଙ୍ଗତ ଆତ୍ମାମାନଙ୍କର ସଦଗତି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅସୁସ୍ଥ ଅନୁଭବ କରିଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ପକ୍ଷରୁ ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ଓ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ପୁରୀରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ଓ ଶୃଙ୍ଖଳିତ ରହିଛି। ଶ୍ରଦ୍ଧାଳୁଙ୍କ ସେବା, ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ସଦାସର୍ବଦା ସେବା ମନୋଭାବ ସହ କାର୍ୟ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
