ଭୁବନେଶ୍ୱର,୧୮/୧୦/୨୦୨୫ (ଓଡ଼ିଶା ସମାଚାର)- ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟର ଅଗ୍ରଣୀ ସାରଥୀ, ବିଶିଷ୍ଟ ଆଇନ ବିଶାରଦ ତଥା ପ୍ରଥମ ବାରିଷ୍ଟର ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ୧୪୮ ତମ ଜୟନ୍ତୀ ସ୍ଥାନୀୟ ୟୁନିଟ ୮ ସ୍ଥିତ ରାଜଭବନ ଛକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିମୂର୍ତ୍ତି ସ୍ଥଳ ଓ ଚତୁଃପାର୍ଶ୍ୱ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଓ ପୂଜ୍ୟପୂଜା ପ୍ରାଣମାନଙ୍କ ଦ୍ୱାରା ସଫା କରା ଯାଇଥିଲା ।
ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ବ କରି ମତବ୍ୟକ୍ତ କରିଥିଲେ ଯେ ଉତ୍କଳ ରତ୍ନ ବିଶ୍ୱ ନାଥ ମିଶ୍ରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ଆଇନ, ସ୍ୱାଧୀନତା ସଂଗ୍ରାମ ପ୍ରମୁଖରେ ଥିଲା ତାଙ୍କର ଅତୁଳନୀୟ ଅବଦାନ । କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ସଦସ୍ୟ ସହିତ ସେ ଥିଲେ ଜଣେ ପ୍ରଜ୍ଞାଦୀପ୍ତ ଆଇନ ବିଶାରଦ । ଓଡ଼ିଆ ଭାଷା ର ସମୃଦ୍ଧି ସହିତ ପ୍ରଚାର, ପ୍ରସାର ସହିତ ନାରୀ ଶିକ୍ଷା ଓ ଜାଗରଣ ପ୍ରତି ଉଲେଖନୀୟ ଚେଷ୍ଟା କରିଥିଲେ।ପ୍ରଥମ ବାରିଷ୍ଠର ଭାବେ ସମଗ୍ର ଓଡ଼ିଆ ଜାତିର ସମ୍ମାନ, ଗୌରବ ବୃଦ୍ଧି କରିବା ସହିତ ଉତ୍କଳ ଜନନୀର ପ୍ରକୃତ ପ୍ରତିଜ୍ଞାବଦ୍ଧ ମହାତ୍ମା ଥିଲେ । ଆଜିର ଯୁବପୀଢ଼ି ତାଙ୍କୁ ନିହାତି ଜାଣିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ଶତପଥୀ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ।
ଉକ୍ତ ସ୍ମୃତିଚାରଣରେ ସଭାରେ ସମ୍ମାନିତ ଅତିଥି ଭାବେ ସରକାରଙ୍କ ସଂସ୍କୃତି ବିଭାଗ ଅଧିକାରୀ ଚନ୍ଦ୍ର ଶେଖର ସେଠି, ସାରସ୍ୱତ ସାଧିକା ଗୀତା ବିଶ୍ୱାସ, ଭାଷାପ୍ରାଣ ରମେଶ ପାତାଳ ସିଂ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ କ୍ରାନ୍ତି କୁମାର ସକ ସେନା,ବରିଷ୍ଠ ସମାଜସେବୀ, ମନୋରଞ୍ଜନ ମହାନ୍ତି, ପୂଜ୍ୟପୂଜା ପ୍ରାଣ ରଙ୍ଗାଧର ସାହୁ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଭାଷାପ୍ରାଣ ଗିରିଜା ମହାପାତ୍ର, ସଞ୍ଜୟ ପ୍ରଧାନ, ଅମିତପାଲ ସିଂ ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।
