ଅତିରିକ୍ତ ବଜେଟ୍ ପାଇଁ ପସ୍ତୁତି ଆରମ୍ଭ

ଯେତିକି ଟଙ୍କା ଦରକାର ସେତିକି ମାଗ: ଅର୍ଥ ବିଭାଗ
୪୦%ରୁ କମ୍ ଖର୍ଚ୍ଚ କରିଥିବା ବିଭାଗକୁ ମିଳିବନି
ଓଡ଼ିଶାର ଅଭିବୃଦ୍ଧି ହାର ୮% ରହିବା ଆକଳନ
ରାଜସ୍ୱ ସଂଗ୍ରହ ଗତବର୍ଷ ତୁଳନାରେ ୨% ଅଧିକ
ବିତୀୟ ପରିଚାଳନାରେ ନୈରାଶ୍ୟଜନକ ପ୍ରଦର୍ଶନ
ଭୁବନେଶ୍ୱର,୧୮/୧୦/୨୦୨୫ (ଓଡ଼ିଶା ସମାଚାର)- ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୋହନ ସରକାର ଅତିରିକ୍ତ ବଜେଟ ଆଣିବାର ସମ୍ଭାବନା ରହିଛି । ତେଣୁ ଏଥିପାଇଁ ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି କରିଛି ।

ବିଭାଗଗୁଡ଼ିକ ନିଜ ଆବଶ୍ୟକତା ଅନୁସାରେ ପ୍ରସ୍ତାବ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗ ନିକଟରେ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି । ଆସନ୍ତା ୩୧ସୁଦ୍ଧା ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ଅର୍ଥ ବିଭାଗକୁ ଅନ୍ଲାଇନରେ ଏବଂ କାର୍ଯ୍ୟକ୍ରମ ବ୍ୟୟ ପ୍ରସ୍ତାବ ସମ୍ପର୍କରେ ଯୋଜନା ଓ ସଂଯୋଜନ ବିଭାଗ ନିକଟରେ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି । ସାଧାରଣ ବଜେଟରେ ଧାର୍ଯ୍ୟ ଅଟକଳର ଖର୍ଚ୍ଚ ୪୦ ପ୍ରତିଶତରୁ କମ୍ ଥିବା ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । ସେହିପରି ଧାର୍ଯ୍ୟ ତାରିଖ ପରେ ମଧ୍ୟ ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । ବିଧାନସଭାର ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଆସିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ରମ ବ୍ୟୟ ସମ୍ପର୍କିତ ପ୍ରସ୍ତାବ ଯୋଜନା ଓ ସଂଯୋଜନ ବିଭାଗର ଅନୁମୋଦନ ମିଳିଲେ ଅର୍ଥ ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି ।

ଧାର୍ଯ୍ୟ ସମୟ ସୀମା ଶେଷ ହେବା ପରେ ଆସିବାକୁ ଥିବା ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯିବ ନାହିଁ । ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ସଚିବ ଓ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ମିଶ୍ର ସ୍ପଷ୍ଟକରି କହିଛନ୍ତି, ସାଧାରଣ ବଜେଟ୍ ୨୦୨୫-୨୬ରେ ଧାର୍ଯ୍ୟ କରାଯାଇଥିବା ଅଟକଳର ଖର୍ଚ୍ଚ ୪୦ ପ୍ରତିଶତରୁ କମ୍ ରହିଥିବା ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବକୁ ବିଭାଗମାନେ ବଢ଼ାଇଚଢ଼ାଇ ଉପସ୍ଥାପନ କରନ୍ତି । ବର୍ଷ ଶେଷ ବେଳକୁ ତାହାକୁ ଖର୍ଚ୍ଚ କରିନପାରି ଫେରାଇଥାନ୍ତି । ସେଥିପାଇଁ ବାସ୍ତବରେ ଯେତିକି ଟଙ୍କା ଦରକାର ସେତିକି ମାଗିବା ଲାଗି ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି ।

ବେତନ, ମହଙ୍ଗା ଭତା, ଘରଭଡ଼ା, ବିଦ୍ୟୁତ ବଲ ଦେୟ, ଜଳକର ଏବଂତମୁ୍ୟନିସିପାଲିଟି ଦେୟ ଆଦି ସମ୍ପର୍କିତ ପ୍ରସ୍ତାବକୁ କେବଳ ଯେତିକି ଅଭାବ ରହିଛି, ସେଥିପାଇଁ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ୨୦୨୫-୨୬ ଆର୍ଥôକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭% ରହିବ । ସେହିପରି ଓଡ଼ିଶାର ଅଭିବୃଦ୍ଧି ହାର ୮% ରହିବ । ଚଳିତବର୍ଷ ସେପ୍ଟ୍ଟେମ୍ବର ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହରେ ବୃଦ୍ଧି ଗତବର୍ଷ ତୁଳନାରେ ୨% ଅଧିକ ରହିଛି । ସେହି ସମୟ ସୁଦ୍ଧା ରାଜ୍ୟର ମୋଟ୍ ବ୍ୟୟ ବଜେଟ୍ ଅଟକଳର ୩୪% ରହିଛି ।

ଆମେରିକା ସରକାର ଲଗାଇଥିବା ଶୁଳ୍କ ଏବଂ ନିକଟରେ ଜିଏସଟି ରେ କରାଯାଇଥିବା ସଂସ୍କାରକୁ ଦୃଷ୍ଟିରେ ରଖି ରାଜସ୍ୱ ଆଦାୟ ଉପରେ ନଜର ରଖିବା ଏବଂ ବ୍ୟୟକୁ ତ୍ୱରାନ୍ୱିତ କରିବାକୁ ଅର୍ଥ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚଳିତ ଆର୍ଥôକବର୍ଷର ବଜେଟ୍ରେ ରାଜ୍ୟ ସରକାର ଅନ୍ନଦାତା, ସମୃଦ୍ଧି, ସମାନତା, ସୁସ୍ଥ ଓଡ଼ିଶା, ଜଳବାୟୁ ପ୍ରସ୍ତୁତ ଓଡ଼ିଶା, ନବସୃଜନ, ସନ୍ତୁଳିତ ଆଂଚଳିକ ବିକାଶ, ସୁଶାସନ ଓ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦେଇଥିଲେ । ତେଣୁ ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବା ବେଳେ ଏହି ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ବିଚାରକୁ ନେବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ବିଭାଗ ବିତୀୟ ପରିଚାଳନାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *