୨୦ ସୁଦ୍ଧା ନାମାଙ୍କନ ଦାଖଲ
ନଭେମ୍ବର ୧୧ରେ ଭୋଟଦାନ
ଭୁବନେଶ୍ୱର,୧୪/୧୦/୨୦୨୫ (ଓଡ଼ିଶା ସମାଚାର)- ନୂଆପଡା ଉପନିର୍ବାଚନ ପାଇଁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଜିଲାରେ ୭୦ ପ୍ରତିଶତ ଆଦିିବାସୀ ଶ୍ରେଣୀର ଲୋକ ବାସ କରୁଥିବା ବେଳେ ୧ ଲକ୍ଷ ୫ ହଜାର ଭୋଟ ରହିଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଖଣ୍ଡ ଭୋଟ ରହିଥିବା ନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର ।
ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ରେ ନାମାଙ୍କନ ପତ୍ର ଯାଂଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଅନ୍ୟପକ୍ଷରେ ବାମପନ୍ଥୀ ଉଗ୍ରବାଦୀ ପ୍ରବଣ ଅଂଚଳର ୪୭ଟି ବୁଥ୍ ରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ରେ ଉପନିର୍ବାଚନ ପାଇଁ ସୋମବାର ଅପରାହ୍ନ ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ନୂଆପଡା ଉପ ନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର ।
୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ । ଦୁର୍ଗମ ଅଂଚଳର ୫ଟି ସ୍ଥାନରେ ଥିବା ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲୋକଙ୍କୁ ନେବା ଆଣିବା ପାଇଁ ହେଲିକପ୍ଟର ବ୍ୟବହାର ହେବ । ସେହିପରି ୧୪ କମ୍ପାନୀ ଉଇଚୠ ମଧ୍ୟ ଉପନିର୍ବାଚନ ପାଇଁ ଆସିବେ ବୋଲି ସୂଚନା ଦେଇଛନ୍ତି । ଏଥର ୫୬ଟି ନୂଆ ବୁଥ୍ ହୋଇଛି । ନିର୍ବାଚନ ବେଳେ ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ନୂଆପଡ଼ା ଉପ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀ ଚୟନରେ ଦିନ ଗଡି ଚାଲିଥିବାବେଳେ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡି ଓ ବିଜେପିରେ ପ୍ରାର୍ଥୀ ଚୟନରେ କନ୍ଦଳ ଲାଗି ରହିଥିବାବେଳେ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛି ।
