ଯାଜପୁର, ୧୩/୧୦/୨୦୨୫ (ଓଡ଼ିଶା ସମାଚାର)- ବଡ଼ଚଣା – ବାଲିଚନ୍ଦ୍ରପୁର ସଂଯୋଗ କରୁଥିବା (୧୩ କିଲୋମିଟର) ରାସ୍ତାରେ ପ୍ରତିଦିନ ସହସ୍ରାଧିକ ଲୋକ ନିଜର ଅଫିସିଆଲ୍ କାର୍ଯ୍ୟ, ମେଡିକାଲ ଓ ଅନ୍ୟାନ୍ୟ ଜରୁରୀକାଳୀନ କାମ କରିବାକୁ ଯାତାୟାତ କରନ୍ତି। ବଡ଼ଚଣା ବ୍ଲକ କାର୍ଯ୍ୟାଳୟ, ବଡ଼ଚଣା ସି.ଏଚ.ସି, ଏସ.ଆର. ଅଫିସ, ତହସିଲ କାର୍ଯ୍ୟାଳୟ ସହ ଧାନମଣ୍ଡଳ ଓ ଚଣ୍ଡିଖୋଲ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ରାସ୍ତା ମଧ୍ୟରେ ଜନସାଧାରଣଙ୍କ ଗମନାଗମନ ଅଧିକ। ଭାରୀ ଯାନ, ଟ୍ରକ୍ ଓ ଲୋଡେଡ୍ ଯାନଗୁଡ଼ିକ ହାଇୱେ ବଦଳରେ ଏହି ରାସ୍ତା ଦ୍ୱାରା ଗତିଶୀଳ ହେଉଥିବାରୁ ବିପଦଜନକ ଦୁର୍ଘଟଣା ଘଟୁଛି।
ସାଧାରଣ ଜନତା, ବିଦ୍ୟାଳୟ–ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସାଇକେଲ ଚାଳକ ଓ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାଜପୁର ଜିଲ୍ଲାପାଳ–କମ–ଚେୟାରମ୍ୟାନ, ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA) ଶ୍ରୀ ଅମ୍ବର କୁମାର କର, ଓ.ଏ.ଏସ (ଏସ.ଏସ) ସାଧାରଣ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତି–ଶୃଙ୍ଖଳାକୁ ଦୃଷ୍ଟିରେ ରଖି, ମୋଟର ଭେହିକଲ୍ସ ଆଇନ ୧୯୮୮ ର ଧାରା ୧୧୫, ୧୧୬ ଓ ୧୧୭ ଓ ଓଡିଶା ମୋଟର ଭେହିକଲ୍ସ ନିୟମାବଳୀ ୧୯୯୩ ର ନିୟମ ୬୩ ଓ ୯୩ ଅନୁଯାୟୀ ଭାରୀ ଯାନ ଚଳାଚଳ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି।
ଏହି ପ୍ରତିବନ୍ଧକ ୦୧.୧୦.୨୦୨୫ ରୁ ୩୧.୧୦.୨୦୨୫ (ଏକ ମାସ ପାଇଁ) ବଳବତ୍ତର ରହିବ।
