ମାଳିହତାରେ ଓଡ଼ିଆ ଯାତ୍ରା ସଂସ୍କୃତିର ମହାନାୟକ ବୈଷ୍ଣବ ପାଣି ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 

ମାହାଙ୍ଗା, ୧୨/୧୦/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା)- ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ୯ ଦିନ ବ୍ୟାପୀ ଆୟୋଜିତ ଗଣକବି ବୈଷ୍ଣବ ପାଣିଙ୍କ ୧୪୩ ତମ ଜନ୍ମ ଜୟନ୍ତୀ କବିଙ୍କ ସାଧନପୀଠ ମାଳିହତା ଠାରେ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ମାଳିହତା ଗାଁ’ ବୈଷ୍ଣବ ପାଣିଙ୍କୁ ଜଣେ ସଫଳ ନାଟ୍ୟକାର,ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଏବଂ ବିଖ୍ୟାତ ଅଭିନେତା ଭାବେ ସାରା ରାଜ୍ୟରେ ପରିଚିତ କରିପାରିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି । ସେହି ପଲ୍ଲୀ ଗାଁ’ର ମହାର୍ଘ୍ୟ ମାଟିର ମହକ ମାଆ କ୍ଷେତ୍ର ପାଳିନୀଙ୍କ ଅଭୟ ଆଶୀର୍ବାଦ ଥିଲା ଗଣକବିଙ୍କ ଉପରେ ।

ପ୍ରାଧ୍ୟାପକ ଡକ୍ଟର ଗିରିଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ସଭାର ପଞ୍ଚମ ସନ୍ଧ୍ୟାରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ, ଗଣକବି ଓଡ଼ିଆ ଭାଷା ସଂସ୍କୃତିର ଜାଗ୍ରତ ପ୍ରହରୀ ଭାବେ ନିଜକୁ ଉତ୍ସର୍ଗ କରିପାରିଥିବାରୁ, ଏ ଜାତି ଆଜିବି ତାଙ୍କ ଗୁଣଗାନ କରୁଛି ବୋଲି କହିଥିଲେ ।

ମୁଖ୍ୟବକ୍ତାଭାବେ ପ୍ରଫେସର ଡକ୍ଟର ନଟବର ଶତପଥୀ କହିଲେ -ନାଟକ ମାଧ୍ୟମରେ ଗଣକବି ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିଥିଲେ । ଗ୍ରାମୀଣ ଜନତାଙ୍କ ମନୋରଞ୍ଜନ କରିବାକୁ ବୈଷ୍ଣବ ପାଣି କେବଳ ନାଟକ ରଚନା କରୁନଥିଲେ ।  ସେ ପରାଧୀନତା ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରୁଥିଲେ ।

 ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଭୟ ଦାସ ଯୋଗଦେଇଥିଲେ । ବିଶିଷ୍ଟ ବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ମହାନ୍ତି,ନିଶ୍ଚିନ୍ତକୋଇଲି ତହସିଲଦାର ଦମୟନ୍ତୀ ସାହୁ ପ୍ରମୁଖ ଯୋଗଦେଇ ଗଣକବିଙ୍କ ବହୁମୁଖୀ ସାହିତ୍ୟ ଓ ଅନନ୍ୟ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଶତପଥୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ  କରିଥିଲେ ।

  ସମାଜସେବୀ ଯାଜ୍ଞସେନୀ ଜେନା,ଅକ୍ଷୟ କୁମାର ଷଢଙ୍ଗୀ, ଆଇନୀଜୀବୀ ଉମେଶ ଚନ୍ଦ୍ର ଭଞ୍ଜ, ମନୋରଞ୍ଜନ ବିଶ୍ୱାଳ, ସୁରେନ୍ଦ୍ର ମହାନ୍ତି, ମୃତ୍ୟୁଞ୍ଜୟ ବିଶ୍ୱାଳ, ଭକ୍ତ ଚରଣ ସ୍ୱାଇଁ, ଅଖିଳେଶ ମହାନ୍ତି, ମନୋରଞ୍ଜନ ନାୟକ, କନକଲତା ବେହେରା, ବିଶ୍ୱଭୂଷଣ ପ୍ରଧାନ,ପନଙ୍ଗ ଭୂଷଣ ଦାସ, ତାରାକାନ୍ତ ମହାପାତ୍ର,ଅମରେନ୍ଦ୍ର ସିଂ,ହୃଷିକେଶ ବେହେରା,ପ୍ରମୁଖ ବହୁ ସାହିତ୍ୟ ସଂସ୍କୃତି ବ୍ୟକ୍ତି ଗଣକବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।

  ଶେଷରେ ତିନୋଟି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଣକବିଙ୍କ ଅମର ଲେଖନୀ ନିସ୍କୃତ ଗୀତିନାଟ୍ୟ  “ଅମର ବିଳାସ “, ଗୀତିନାଟ୍ୟ”କପଟ ପଶା “, ଏବଂ ଗୀତିନାଟ୍ୟ “ଜୟନ୍ତ ଜୟପାଳ” ମଞ୍ଚସ୍ଥ ହୋଇଥିଲା । ଶହଶହ ଦର୍ଶକ ରାତି ଉଜାଗର ରହି ଏହି ନାଟକ ଗୁଡ଼ିକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *