ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭିନ୍ନ ବ୍ୟବସାୟୀ ସଂଘ ସହ ଆଲୋଚନା

                                                  ଯୋଗାଣ ଶୃଙ୍ଖଳ ଏବଂ ଦରଦାମ ବୃଦ୍ଧି ନେଇ ହେଲା ସମୀକ୍ଷା

ଭୁବନେଶ୍ୱର, ୧୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ ସହ ଆଲୋଚନା କରିଛନ୍ତି । ଖଣ୍ଡଗିରିସ୍ଥିତ ବୈଧ ଓଜନ ଓ ମାପ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉଲକେଲା, ଜଟଣୀ ଏବଂ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ ପ୍ରତିନିଧିମାନଙ୍କ ସହ ଏହି ଆଲୋଚନା ଅନୁଷ୍ଠିତ ହୋଇଛି । ସମ୍ପ୍ରତି ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବଂ ଖାଉଟିମାନଙ୍କୁ ଉପଯୁକ୍ତ ମୂଲ୍ୟରେ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ଉକ୍ତ ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ । ଦରଦାମ ବୃଦ୍ଧି ଓ ଏହାର ନିୟନ୍ତ୍ରଣ ସହ ଏ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ସଂଘ ମାନଙ୍କ ସହ ବିଶଦ ଭାବେ ଆଲୋଚନା ହୋଇଛି । ଯୋଗାଣ ଶୃଙ୍ଖଳ ତ୍ୱରାନ୍ୱିତ କରିବା ସହ ଖାଉଟିମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

            ଏଥିସହ କଳାବଜାରୀଙ୍କୁ ଚିହ୍ନଟ ଓ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂପର୍କରେ ମଧ୍ୟ ଆଲୋଚନା କରଯାଇଛି । ଏଥିନିମନ୍ତେ ଶ୍ରୀ ପାତ୍ର ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

            ଏତଦ୍‌ବ୍ୟତୀତ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ଯୋଗାଣ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି । ରାଜ୍ୟର ଆଳୁ, ପିଆଜ, ଖାଇବା ତେଲ ଏବଂ ଡାଲି ମହଜୁଦ ଥିବା ବିଭିନ୍ନ ଗୋଦାମରେ ଚଢ଼ଉ କରାଯାଇଛି । ଉଭୟ ପାଇକାରୀ ଏବଂ ଖୁଚୁରା ଦୋକାନରେ ବିଭିନ୍ନ ସାମଗ୍ରୀର କିଲୋଗ୍ରାମ ପ୍ରତି ଦର ଏବଂ ମହଜୁଦ ପରିମାଣ ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ଶ୍ରୀ ପାତ୍ର ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଆଜିର ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *