ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କୀୟ ଓ ବଜରଙ୍ଗ ଦଳ ନେତାଙ୍କ ପୁଅ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

୬ ଜଣଙ୍କ ନାମରେ ଅଭିଯୋଗ, ବିଭିନ୍ନ ଛକରେ ପୋଲିସ ସୁରକ୍ଷା କଡାକଡି
କେନ୍ଦ୍ରାପଡ଼ା,୨୬/୮/୨୦୨୪(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ମାରୁତିଛକରେ ଗ୍ୟାଙ୍ଗଷ୍ଟର ସୁଲେମାନର ପୁତୁରା ଓ ବଜରଙ୍ଗ ଦଳର ନେତା ବାବୁଲି ମହାରଣାଙ୍କ ପୁଅଙ୍କ ଗୋଷ୍ଠୀ ଭିତରେ ରବିବାର ସନ୍ଧ୍ୟାରେ ଗଣ୍ଡଗୋଳ ଘଟଣାରେ ପୋଲିସ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ଗ୍ରହଣ କରି ଦୁଇଟି ପୃଥକ ପୃଥକ ମାମଲା ୪୬୪/୨୦୨୪ ଓ ୪୬୫/୨୦୨୪ ଦାୟର କରିଛି । ଏଥିସହିତ ଉଭୟ ପକ୍ଷର ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସୁଲେମାନ ପୁତୁରା ଗୋଷ୍ଠୀର ସୁମାନ ଖାନ୍ଙ୍କ ଅଭିଯୋଗକ୍ରମେ ବାବୁଲି ମହାରଣା ତାଙ୍କପୁତ୍ର ଅଂଶୁମାନ ମହାରଣା ଓ ଅନ୍ୟ ଜଣେ ନଟିଆ ମହାରଣାଙ୍କ ନାମରେ ମାମଲା ରୁଜୁ ହୋଇଛି । ସେହିପରି ବାବୁଲି ମହାରଣା ଗୋଷ୍ଠୀର ବଟକୃଷ୍ଣ ମହାରଣାଙ୍କ ଅଭିଯୋଗକ୍ରମେ ମାଲିକ ସୋନୁ, ମାଲିକ ସାହିଲ ଓ ସୁମାନ ଖାନ୍ ଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ସଦର ଥାନାଧିକାରୀ ସରୋଜ ସାହୁଙ୍କ ଠାରୁ ସୂଚନା ମିଳିଛିି । ଉଭୟ ପକ୍ଷ ମଧ୍ୟରେ ଯେପରି ଅଧିକ କିଛି ଗଣ୍ଡଗୋଳ ନ ଘଟେ ସେଥିପାଇଁ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଧେଶରେ ଗରାପୁର କାଳୀ ମନ୍ଦିର ଛକ, ଗରାପୁର ମୁସଲିମ ବସ୍ତି ଛକ ଓ ଗରାପୁର ହନୁମାନ ମନ୍ଦିର ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କାରଣ ଏହି ଅଂଚଳରେ ଗ୍ୟାଙ୍ଗଷ୍ଟର ସୁଲେମାନ୍ ର ପୁତୁରା ଗୋଷ୍ଠୀର ଯୁବକମାନେ ଆଡ୍ଡା କରିଥାନ୍ତି । ସେହିପରି ଗୁଲନଗର ଛକ, ତିନିମୁହାଣୀ ରାମ ମନ୍ଦିର ଛକ ଓ ମାରୁତି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କାରଣ ଏହି ଛକମାନଙ୍କରେ ବାବୁଲି ମହାରଣାଙ୍କ ପୁଅ ଗୋଷ୍ଠୀର ଯୁବକମାନେ ଆଡ୍ଡା କରିଥାନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ବାବୁଲି ମହାରଣାଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ସେଖ ମେହେତାବ ଦୁଇଥର ହତ୍ୟା ଉଦ୍ୟମ କରିଛନ୍ତି । ଥରେ ବାବୁଲି ମହାରଣାଙ୍କ ଦେହରେ ଗୁଳି ବାଜିଥିଲା । ହେଲେ ସେ କିଛିଦିନ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ସେହିପରି ଆଉ ଥରେ ସେଖ ମେହେତାବ ବାବୁଲି ମହାରଣାଙ୍କ ଉପରକୁ ଗୁଳି କରିଥିଲେ । କିନ୍ତୁ ସେହି ସମୟରେ ବାବୁଲି ମହାରଣାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇବାରୁ ସେଖ ମେହେତାବ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୂର୍ବରୁ ବହୁବାର ବାବୁଲି ମହାରଣା ଗୋଷ୍ଠୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ତେଣୁ ସେହିଭଳି ଘଟଣାର ଯେପରି ପୁନରାବୃତି ନ ଘଟେ ସେ ନେଇ କେନ୍ଦ୍ରାପଡ଼ା ସହର ଓ ଉପକଣ୍ଠରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରବିବାର ରାତିରେ ବାବୁଲି ମହାରଣାଙ୍କ ପୁଅ ଅଂଶୁମାନ ମହାରଣା ଗୋଷ୍ଠୀ ଓ ଗ୍ୟାଙ୍ଗଷ୍ଟର ସୁଲେମାନ୍ ପୁତୁରା ସୋନୁ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *