ଏଆଇ କ୍ୟାମେରା ନଜରରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା

ସ୍ଥିତି ସମୀକ୍ଷା କରି ଫ୍ଲାଗମାର୍ଚ୍ଚ କଲେ ଡିଆଇଜି
କେନ୍ଦ୍ରାପଡ଼ା,୧୨/୧୦/୨୦୨୫(ଓଡ଼ିଶା ସମାଚାର)-ଏଆଇ କ୍ୟାମେରା ନଜରରେ ରହିଛି କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା । ଯାହା ଫଳରେ ପୂଜାରେ ବିଶେଷ କିଛି ଅଘଟଣ ଘଟିନାହିଁ । ଶନିବାର ପୂଜାର ଷଷ୍ଠ ଦିନରେ କେନ୍ଦ୍ରାଂଚଳ ଡିଆଇଜି ସତ୍ୟଜିତ ନାୟକ କେନ୍ଦ୍ରାପଡାରେ ସ୍ଥିତି ସମୀକ୍ଷା କରିଛନ୍ତି । ଜଜାଙ୍ଗସ୍ଥିତ ପ୍ରଦକ୍ଷଣଭବନରେ ସ୍ଥିତି ସମୀକ୍ଷା କରିବା ପରେ ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ ଡିଆଇଜି ଶ୍ରୀ ନାୟକ ।

ଏହାପରେ ଡିଆଇଜି ଶ୍ରୀ ନାୟକ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ନିକଟରେ ପତ୍ରକାରମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଗଜଲକ୍ଷ୍ମୀ ପୂଜା କେନ୍ଦ୍ରାପଡ଼ାର ଯଦିବା ଗଣ ପର୍ବ କିନ୍ତୁ ଏହା ଏବେ କେବଳ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ମଧ୍ୟରେ ସୀମିତ ରହିନାହିଁ । ଏହି ପୂଜାକୁ ଉପଭୋଗ କରିବା ପାଇଁ ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି । ଏଥିସହ ଅନ୍ୟ ରାଜ୍ୟରୁ ମଧ୍ୟ ଲୋକମାନେ ଏହି ମହୋତ୍ସବରେ ନିଜକୁ ସାମିଲ କରିବା ପାଇଁ ଆସୁଛନ୍ତି । ତେଣୁ ପୂଜାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୩୦ ପ୍ଲାଟୁନ୍ ପୋଲିସ ବଳ ମୁତୟନ ହୋଇଛନ୍ତି । ଯେଉଁ ସ୍ଥାନଗୁଡିକରେ ଏକ ହଜାରରୁ ଅଧିକ ଲୋକ ଜମା ହେଉଛନ୍ତି ସେହି ସ୍ଥାନଗୁଡିକର ଭିଡିଓ ଏଆଇ କ୍ୟାମେରା ସାହାଯ୍ୟରେ କଂଟ୍ରୋଲ ରୁମରେ ଦେଖି ହେଉଛି । ତେଣୁ ସେଠାରେ କୌଣସି ବ୍ୟକ୍ତି ଅଘଟଣ ଘଟାଇଲେ ତୁରନ୍ତ ତାହାକୁ ଧରିହେବ । ସେହିପରି ଯେଉଁମାନେ ମେଳା, ମହୋତ୍ସବରେ ଅଭ୍ୟାସଗତ ଭାବେ ଲୁଟ୍ ତରାଜ କରନ୍ତି ସେମାନଙ୍କର ଏକ ଡାଟା ବେସ୍ ପ୍ରସ୍ତୁତ କରାଯାଇଛି ।

ସେମାନେ ମେଳାରେ ବୁଲାବୁଲି କଲେ ଜଣାପଡି ଯିବେ । ଫଳରେ ସେମାନଙ୍କୁ ମେଳାର ଭିଡ ଭିତରୁ ସହଜରେ ବାହାର କରାଯାଇପାରିବ । ଅଦ୍ୟାବଧି ସେଭଳି କୌଣସି ଅଘଟଣା ଘଟିନାହିଁ । ପୂଜାକମିଟି ଗୁଡିକ ପୋଲିସ କର୍ମଚାରୀମାନଙ୍କୁ ବେଶ ସହାୟତା କରୁଛନ୍ତି । ଫଳରେ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାର ସହ ଚାଲିଛି ବୋଲି ଡିଆଇଜି ଶ୍ରୀ ନାୟକ କହିଥିଲେ । ଏହି ପତ୍ରକାର ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଏସପି ସୁଧାକର ସାହୁ, ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *