ସଞ୍ଜିବନୀ ସେବା ସଂଗଠନର ତୃତୀୟ ବାର୍ଷିକ ମହୋତ୍ସବ 

ନିଶ୍ଚିନ୍ତକୋଇଲି ୦୨/୦୪/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଞ୍ଜିବନୀ ସେବା ସଂଗଠନ ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକସ୍ଥ ବଡକ୍ଷୀର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି ।  ଉପଦେଷ୍ଟା  ତଥା ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ମହୋତ୍ସବକୁ କଟକ ଜିଲ୍ଲା ଏସିଏଫ୍ ସନ୍ତୋଷ କୁମାର ପତି ଉଦ୍‌ଘାଟନ କରି ଯୁବବର୍ଗ ସାଧୁତା, ସଚ୍ଚୋଟତା ଓ ଆତ୍ମୀୟତା ମାଧ୍ୟମରେ ସମାଜର ମଙ୍ଗଳକାମନା କରିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ ସୋସାଇଟ୍ ଲିଃ.ର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ସାହୁ  ଯୋଗଦେଇ ତ୍ୟାଗ ଓ ପ୍ରତିବଦ୍ଧତା ମାଧ୍ୟମରେ ଓଡିଆ ଅସ୍ମିତାର ସୁରକ୍ଷା କ୍ଷେତ୍ରରେ ସମସ୍ତେ ପ୍ରୟାସ କରିବାକୁ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସଂପାଦକ ରାଜୀବ କୁମାର ଷଢଙ୍ଗୀ, ବିଶିଷ୍ଟ ଅତିଥି ଭାବେ ସୁନାମଧନ୍ୟ ଚଳଚିତ୍ର କଳାକାର ପଞ୍ଚାନନ ପାଣିଗ୍ରାହୀ, ସ୍ୱତନ୍ତ୍ର ଅତିଥି ଭାବେ ସାର୍ଥକ ଟିଭି ରଜକୁଇନ୍ ଚମ୍ପିୟନ ମିସ୍ ସାନିଆ, ସମ୍ମାନୀତ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ସୁଜିତ୍ କୁମାର ତରାଇ ଓ ଅନ୍ୟତମ ବରେଣ୍ୟ ଅତିଥି ଭାବେ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନର ସେବା, ସମର୍ପଣ, କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସାମୁହିକ ଗାନ ସହ ଜଗନ୍ନାଥଙ୍କ ଫଟୋଚିତ୍ରରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ଅନୁଷ୍ଠାନର ସଂପାଦକ ବିକ୍ରମ କେଶରୀ ନାଥ ସଂପାଦକୀୟ ବିବରଣୀ ପଠନ ପୂର୍ବକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସହସଂପାଦକ ଜୟପ୍ରକାଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସ୍ୱେଚ୍ଛାସେବୀ ପ୍ରଦୀପ୍ତ ସ୍ୱାଇଁ, ପ୍ରଶାନ୍ତ ସାମଲ, ବାଦଲ ମହାନ୍ତି, ସୁକାନ୍ତ ନାଥଶର୍ମା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଫକୀର ଚରଣ ନାୟକ, ନାରୀକବି ସବିତା ଶତପଥି, ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ନୃତ୍ୟଗୁରୁ ଦେବରୂପା କର, ସଂଗଠିକା ଅଞ୍ଜନା ଶତପଥି, ଲକ୍ଷ୍ମୀପ୍ରିୟା ବସ୍ତିଆ, ରଂଜିତ୍ କେଶରୀ ସ୍ୱାଇଁ, ପ୍ରତାପ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ ଉତ୍କର୍ଷତା ନିମିତ ବଡକ୍ଷୀର ସରପଂଚ ହିଂମାଶୁ ନାରାୟଣ ମଲ୍ଲ, ଇଂ. ମାନଗୋବିନ୍ଦ ପଣ୍ଡା, ସାହିତ୍ୟିକ ଡ. ହୃଷିକେଶ ମହାରଣା, ସାମ୍ବାଦିକ ବିବେକାନନ୍ଦ ଦାସ, ଚିକିତ୍ସକ ଡ. ଅଶ୍ୱିନୀ କୁମାର ଲେଙ୍କା, ସମାଜସେବୀ ସ୍ନେହଲତା ସିଂ, ନୃତ୍ୟଗୁରୁ ଜୟଦେବ ଦଳାଇ, ପ୍ରକୃତିବନ୍ଧୁ ହୃଷିକେଶ ବେହେରାଙ୍କୁ ପ୍ରମାଣପତ୍ର, ଉପଢୌକନ ପ୍ରଦାନ ପୂର୍ବକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୃତୀ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରଦର୍ଶିତା ନିମିତ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବରେ ବିଭିନ୍ନ ଅଂଚଳରୁ ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଶେଷରେ ସରପଂଚ ହିଂମାଶୁ ନାରାୟଣ ମଲ୍ଲ ସମସ୍ତଙ୍କୁୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *