ମା’ ଗଜଲକ୍ଷ୍ମୀ ମହିଳା ପୂଜା କମିଟିର ଲକ୍ଷ୍ମୀପୂଜା ପାଳନ

ଭୁବନେଶ୍ୱର,୧୨/୧୦/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭୁବନେଶ୍ୱର, ୟୁନିଟ୍-୩, ଖାରବେଳନଗରସ୍ଥିତ ଟେଷ୍ଟବୁକ୍ ପ୍ରେସ୍ କଲୋନୀ ଅଂଚଳରେ ସ୍ଥାନୀୟ ମହିଳାମାନେ ଦୀର୍ଘ ୧୫ବର୍ଷ ଧରି ମା’ ଗଜଲକ୍ଷ୍ମୀଙ୍କ ପୂଜା ପାରମ୍ପରିକ ରୀତି ନୀତି ଅନୁଯାୟୀ ପାଳନ କରିଆସୁଛନ୍ତି ଏବଂ ଏହି ପୂଜା କେବଳ ମହିଳାମାନଙ୍କ ଦ୍ୱାରା ସମସ୍ତ ରୀତିନୀତି, ନୀତିକାନ୍ତି ପାଳନ କରାଯାଇଆସୁଅଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ୍ କଲୋନୀର ମା’ ଭଉଣୀମାନେ ଏକମନ, ଏକପ୍ରାଣ ହୋଇ ଏକାଠି ସମ୍ମିଳିତ ଭାବେ ଉତମ ବୁଝାମଣା ଭିତିରେ ସମସ୍ତ ଠାକୁରଙ୍କ କାମ ଶୃଙ୍ଖଳିତ ଭାବେ ସାତଦିନ ହେଲା ପୂଜା ମଣ୍ଡପରେ ପରିଚାଳନା କରୁଛନ୍ତି ।

ପୂଜାକମିଟିର ସଭାପତି ବନଜା ମହାନ୍ତିଙ୍କ ନେତୃତ୍ୱରେ ଓ ସ୍ଥାନୀୟ କର୍ପୋରେଟର ବିଏମସି ୪୧ ନମ୍ବର ୱାର୍ଡର ଶ୍ରୀମତୀ କବିତା ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମା’ ଗଜଲକ୍ଷ୍ମୀ ପୂଜାରେ ସବୁଦିନ ସକାଳ ଏବଂ ସନ୍ଧ୍ୟାରେ ହୋମ, ଆରତୀ ଏବଂ ମା’ଙ୍କ ପାଖରେ ବିଭିନ୍ନ ପ୍ରକାର ଭୋଗ ଲାଗି ହେଉଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଚାଲିଆସୁଅଛି । ମା’ଙ୍କ ପୂଜାରେ ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ମଣ୍ଡାପିଠା, କାକରା ପିଠା, ପୋଡପିଠା ଓ ରସଗୋଲା ପ୍ରତିଦିନ ଭୋଗ ଲାଗିଥାଏ । ପ୍ରତିଦିନ ସନ୍ଧ୍ୟାରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ପୁଚି ଖେଳ, କବାଡ଼ି ଖେଳ, ଭଉଣୀମାନଙ୍କ ଦ୍ୱାରା ର୍ୟାମ୍ପ ସୋ ତଥା ଭଜନ ଓ ଆଧୁନିକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଦର୍ଶକ ଏବଂ ଭକ୍ତମାନଙ୍କୁ ବେଶ୍ ଆକୃଷ୍ଟ କରିଆସୁଅଛି ।

ଅଭିଜ୍ଞ ପୂଜକଙ୍କ ଦ୍ୱାରା ସଠିକ୍ ରୀତିନୀତି ଅନୁଯାୟୀ ପୂଜାକାମ ସମ୍ପାଦନ ହେଉଥିବା ବେଳେ ମାଆମାନେ ନିଜ ନିଜ ଭିତରେ ଆଲୋଚନା କରି ସମସ୍ତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରି ଏପରିକି, ଭକ୍ତମାନଙ୍କୁ ପ୍ରତିଦିନ ପ୍ରସାଦ ସେବନ ପାଇଁ ଭାତ, ଡାଲମା, କ୍ଷୀରି, ଖଟାର ଆୟୋଜନ କରିଥାଆନ୍ତି । ଏହି ପୂଜାରେ କେବଳ ଟେନ୍ଟକାମ, ଲାଇଟ୍ କାମ୍, ଅନ୍ୟାନ୍ୟ ଡେକେରେସନ୍ କାମ ଏବଂ ପୂଜକ ପୁରୁଷ ମାନଙ୍କ ଦ୍ୱାରା ହେଉଥିବା ବେଳେ ଅନ୍ୟାନ୍ୟ ସମସ୍ତ କାମ ଏପରିକି ଘଂଟ, ଘଂଟା ବଜାଇବା, ଶଙ୍ଖ ବଜାଇବା, ଆଳତୀ ଦୀପ ସମସ୍ତଙ୍କ ପାଖରେ ପହଂଚାଇବା, ପୁଷ୍ପାଞ୍ଜଳି ଫୁଲ ସମସ୍ତଙ୍କ ପାଖରୁ ସଂଗ୍ରହ କରିବା କାମ ମଧ୍ୟ ମହିଳାମାନେ କରିଥାଆନ୍ତି । ଏହି କମିଟିର ସାଧାରଣ ସମ୍ପାଦିକ ମମତା ରାୟ ଏବଂ ବରିଷ୍ଠ ଉପଦେଷ୍ଟା ଅର୍ଚ୍ଚନା ସ୍ୱାଇଁ ପ୍ରତିଦିନ ସକାଳୁ ପୂଜାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର କିଭଳି ସମ୍ପାଦନ କରାଯାଉଅଛି ଏବଂ ପରିବେଶ ସଫାସୁତୁରା ଭଳି କାର୍ଯ୍ୟକ୍ରମ ତଦାରଖ କରୁଥିବା ବେଳେ ଅନ୍ୟାନ୍ୟ ୪୫ଜଣ ସଦସ୍ୟମାନେ ସମସ୍ତେ ସହଯୋଗ କରୁଛନ୍ତି ।

୭ଦିନ ପୂଜା ଶେଷ ହେବାପରେ ଶେଷଦିନ ମହିଳାମାନେ ଭସାଣୀ ଉତ୍ସବକୁ ପ୍ରସ୍ତୁତ ହେବାକୁ ଯାଇ ସମସ୍ତେ ନୂତନ ଶାଢୀ ପରିଧାନ କରିବେ, ସିନ୍ଦୂର ଖେଳିବେ ଏବଂ ଘଂଟ, ଘଂଟା ବଜାଇ ନୃତ୍ୟଗୀତ ମାଧ୍ୟମରେ ମା’ଙ୍କୁ ମେଲାଣି ଦେବାପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି ବୋଲି କମିଟିର ବରିଷ୍ଠ ସଦସ୍ୟ ଗୀତାଞ୍ଜଳି ବିଶ୍ୱାଳ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଲିଲି ନାୟକ, ବରିଷ୍ଠ ସଦସ୍ୟା ସଞ୍ଜୁଲତା ବାରିକ, ମନ୍ଦାକିନୀ ରାଓ, ନିରୂପମା ସୁବୁଦ୍ଧି, ସରଳା ମହାନ୍ତି, ସବିତା ଜେନା, ଜୟନ୍ତୀ ଲେଙ୍କା, ପ୍ରିୟଙ୍କା ଦେବୀ ପ୍ରମୁଖ ସମସ୍ତ ସଦସ୍ୟମାନେ ଅକୁଣ୍ଠ ସମର୍ଥନ ଓ ସହଯୋଗ କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *