ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ

‘ଗୋପବନ୍ଧୁ ହେଉଛନ୍ତି ଜାତୀୟ ମଣି’

କେନ୍ଦ୍ରାପଡ଼ା,୦୯/୧୦/୨୦୨୫(ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନୁହଁନ୍ତି । ସେ ହେଉଛନ୍ତି ଜାତୀୟ ମଣି । କାରଣ ଅଦ୍ୟାବଧି କୌଣସି ରାଜ୍ୟରେ ଏଭଳି ନେତା ସୃଷ୍ଟି ହୋଇନାହାଁନ୍ତି ଯିଏ ଦୁଃଖି, ଦରିଦ୍ରଙ୍କ ସେବା ପାଇଁ ନିଜ ଅସୁସ୍ଥ ପୁଅର ଚିକିତ୍ସାକୁ ଗୁରୁତ୍ୱ ନ ଦେଇ ଜନ ସେବାକୁ ଗୁରୁତ୍ୱ ଦେଇଥିଲେ । ଜନତାଙ୍କ ସେବା ପାଇଁ ଶେଷରେ ସେ ନିଜ ପୁଅକୁ ହରାଇଥିଲେ । ତେଣୁ ତ୍ୟାଗ ଓ ଜନ ସେବାର ସେ ହେଉଛନ୍ତି ମୂର୍ତିମନ୍ତ ପ୍ରତୀକ । ତାଙ୍କ ଭଳି ସେବକ ସମଗ୍ର ଦେଶ ତଥା ବିଶ୍ୱରେ ବିରଳ । ତେଣୁ ତାଙ୍କୁ ଉତ୍କଳ ମଣି ଉପାଧି ଦେଇ ଆମେ ତାଙ୍କୁ ସୀମିତ କରି ଦେଇଛୁ । ତାଙ୍କୁ ଜାତୀୟ ମଣି ଆଖ୍ୟା ଦିଆଯିବା ଉଚିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଗୁରୁବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି ।

କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ସନ୍ନିକଟ ଗୋପବନ୍ଧୁ ପାଠାଗାର ପରିସରରେ ଯୋଗଦେଇ ଅତିଥିମାନେ କହିଲେ ରାଜ୍ୟ ସରକର ଓ କେନ୍ଦ୍ର ସରକାର ଉତ୍କଳମଣିଙ୍କ ଦର୍ଶନ ଓ ଚିନ୍ତାଧାରାକୁ ସଠିକ ଭାବରେ ପ୍ରସାର ପ୍ରଚାର କରିବାରେ ଅଦ୍ୟାବଧି ସଫଳ ହୋଇ ପାରିନାହାଁନ୍ତି । ତାଙ୍କ ଜୟନ୍ତୀକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପାଳନ କରିବାର ସମୟ ଆସିଛି । କାରଣ ସେ ଦୁଃଖି ଦରିଦ୍ରଙ୍କ ସେବା କରିବା ପାଇଁ ଯେଉଁଭଳି ଭାବେ ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିଲେ ତାହା ଆଜିର ସମୟରେ ବିରଳ । ତେଣୁ ତାଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ କରାଯିବା ଆବଶ୍ୟକ । ସେ ଓଡ଼ିଶା-ବିହାର ବିଧାନସଭାର ସଦସ୍ୟ ଥିଲେ । ଏହାସହ ରାଜ୍ୟର ମନ୍ତ୍ରୀ ଥିଲେ ।

ନଅଙ୍କ ଦୁର୍ଭିକ୍ଷ ବେଳେ ତାଙ୍କ ଜନସେବା ସମଗ୍ର ଦେଶକୁ ପ୍ରଭାବିତ କରିଥିଲା । ମହାତ୍ମାଗାନ୍ଧୀ ଓଡ଼ିଶା ଆସି ଗୋପବନ୍ଧୁଙ୍କ ସହ ମିଶିବା ପରେ ତାଙ୍କ ମହାନ ତ୍ୟାଗକୁ ବେଶ ପ୍ରଶଂସା କରିଥିଲେ । ଦୁଃଖି ଜନତାଙ୍କ ସ୍ୱାର୍ଥ ପାଇଁ ତାଙ୍କ ତ୍ୟାଗ ଓ ବଳିଦାନ ମହାନ ଥିଲା ବୋଲି ଗାନ୍ଧିଜୀ କହିଥିଲେ । ସାମ୍ବାଦିକ ସୋମନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସମବାୟବିତ ପ୍ରମୋଦ ସାହୁ, ସମାଜସେବୀ ଶିବ ପ୍ରସାଦ ଭଳ, ରାଜେଶ ପଣ୍ଡା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡ଼ା, ଇଂ. ଅଜୟ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ. ମାନଭଞ୍ଜନ କବି, ସମାଜସେବୀ ଫକୀର ଚରଣ ଖଟୁଆ, ଆଦିକନ୍ଦ ରାଉଳ, ଗୟାଧର ଧଳ, ଯଯାତିକେଶରୀ ମହାନ୍ତି, ଧିରେନ ସାହୁ, ମୁକ୍ତାର ଖାଁ, କମଳାକାନ୍ତ ବେହେରା, ସାବିର ଖାନ୍, କାଶିନାଥ ରାଉତରାୟ, ନୃସିଂହ ତ୍ରପାଠୀ, ଦେବେନ୍ଦ୍ର ଦାସ, ସେକ ତଫିରୁଦ୍ଧିନଙ୍କ ସମେତ ଗୋପବନ୍ଧୁ ପାଠାଗାରର ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଚିତ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *