ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସାମୁହିକ ଦାୟିତ୍ୱ ଏକାନ୍ତ ଆବଶ୍ୟକ – ରାଜ୍ୟପାଳ

ଭୁବନେଶ୍ୱର,୦୯/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସାମୁହିକ ଦାୟିତ୍ୱ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ଅକ୍ଟୋବର ୯ ତାରିଖ ଦିନ ଲୋକସେବା ଭବନର କନଭେନସନ୍ ସେଂଟରଠାରେ ଆୟୋଜିତ ୭୧ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଜନସାଧାରଣ ପ୍ରକୃତିର ସକି୍ରୟ ରକ୍ଷକ ହେବାକୁ ଆହ୍ୱାନ ଜଣାଇଛନ୍ତି । ମଣିଷ ଏବଂ ପ୍ରକୃତି ମଧ୍ୟରେ ଥିବା ଗଭୀର ସଂପର୍କ ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ, ଯେତେବେଳେ ଆମେ ଏକ ଜଙ୍ଗଲକୁ ସୁରକ୍ଷା ଦେଉଛୁ ଆମେ ଆମର ଜଳଛାୟାକୁ ସୁରକ୍ଷିତ କରୁ  । ଯେତେବେଳେ ଆମେ ଏକ ପ୍ରଜାତିକୁ ରକ୍ଷା କରୁ ଆମେ ପରିବେଶଗତ ସନ୍ତୁଳନକୁ ରକ୍ଷା କରୁ ।

          ମଣିଷ ଏବଂ ବନ୍ୟପ୍ରାଣୀଙ୍କ କଲ୍ୟାଣ ପ୍ରାକୃତିକ ସମ୍ମନ୍ୱୟର ଅବିଚ୍ଛେଦ୍ୟ ଅଂଶ । ଦେଶରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଦେଶର ଜୀବନ୍ତ ଐତିହ୍ୟର ସୁରକ୍ଷା ପାଇଁ ସମସ୍ତଙ୍କର ମିଳିତ କର୍ତବ୍ୟ ମନେ ପକାଇଦିଏ । ଚଳିତ ବର୍ଷର ବିଷୟ ବସ୍ତୁ “ମାନବ – ବନ୍ୟପ୍ରାଣୀ ସହାବସ୍ଥାନ” ସମାଜକୁ ସଂଘର୍ଷରୁ ଉର୍ଦ୍ଧକୁ ଯାଇ ପ୍ରାକୃତିକ ବିଶ୍ୱର ସୁରକ୍ଷା ପାଇଁ ସାମୁହିକ ଦାୟିତ୍ୱ ଗ୍ରହଣ କରିବାକୁ ଆହ୍ୱାନ କରୁଛି ବୋଲି ରାଜ୍ୟପାଳ କହିଥିଲେ । ଓଡ଼ିଶାର ଜୈବ ବିବିଧତା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ପୂର୍ବଘାଟ ପର୍ବତମାଳା, ଘଂଚ ଜଙ୍ଗଲ, ହେନ୍ତାଳ ବନ, ନଦୀ ଏବଂ ସୁଦୀର୍ଘ ଉପକୂଳ ରାଜ୍ୟକୁ ବନ୍ୟ ପ୍ରାଣୀଙ୍କର ବିହାରସ୍ଥଳ କରିଛି ।

ଚିଲିକା ହ୍ରଦ ଏବଂ ଭିତରକନିକାରୁ ଆରମ୍ଭ କରି ଗହୀର ମଥା ଏବଂ ଋଷିକୂଲ୍ୟାରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ଯ୍ୟନ୍ତ ଓଡ଼ିଶା ସଂରକ୍ଷଣ ସଫଳତାର ଏକ ମଡେଲ ଭାବେ ଛିଡ଼ା ହୋଇଛି । ତଥାପି ମାନବ ବସତି ବୃଦ୍ଧି ଓ ଜଳବାୟୁ ପରିବର୍ତନ ଦ୍ୱାରା ପ୍ରାକୃତିକ ସଂପଦ ପ୍ରଭାବିତ ହେଉଛି । ମଣିଷ-ହାତୀ ସଂଘର୍ଷ ସଂପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଭିତିଭୂମି ବିକାଶ ପ୍ରକଳ୍ପ ଏବଂ ଭୂମି ବ୍ୟବହାର ପରିବର୍ତନ ଯୋଗୁଁ ମାଇଗ୍ରେସନ କରିଡର ସଙ୍କୁଚିତ ହେବା ଦ୍ୱାରା ମଣିଷ ଓ ହାତୀଙ୍କ ମଧ୍ୟରେ ମୁକାବିଲା ଅଧିକ ହେଉଛି ଏବଂ ଦୁଃଖଦ ପରିସ୍ଥିତି ସୃଷ୍ଟି ହେଉଛି । ଏଣୁ କରିଡରଗୁଡ଼ିକର ସୁରକ୍ଷା ଏବଂ ପୁନଃଉଦ୍ଧାର, ଡ୍ରୋନ ନିରୀକ୍ଷଣ ଏବଂ ଜପିଏସ୍ ଟ୍ରାକିଂ ଭଳି ଆଧୁନିକ ଉପକରଣ ବ୍ୟବହାର କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ପାଇଁ ଯୁବପିଢି ଏବଂ ଗୋଷ୍ଠୀକୁ ସାମିଲ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ସ୍ଥାୟୀ ସଂରକ୍ଷଣ ପାଇଁ ପ୍ରଭାବଶାଳୀ ପଦକ୍ଷେପ ଭାବରେ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ବିସ୍ତାର, ବନ୍ୟପ୍ରାଣୀ କରିଡର ସଂରକ୍ଷଣ ଏବଂ ଗୋଷ୍ଠୀଭିତିକ ଇକୋ ଟୁରିଜିମ୍ କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

          ଏହି ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରିନ୍ସିପାଲ ସିସିଏଫ୍ ଆଣ୍ଡ ଏଚ୍ ଓ ଏଫଏଫ୍ ସୁରେଶ ପନ୍ତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ପିନସିପାଲ ସିସିଏଫ୍ (ୱାଇଲଡ ଲାଇଫ) ଆଣ୍ଡ ସିଡବ୍ଲୁ୍ୟଏଲଡବ୍ଲୁ୍ୟ ପ୍ରେମ କୁମାର ଝା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ସିସିଏଫ୍ (ୱାଇଲଡ୍ ଲାଇଫ) ଡ. ମନୋଜ ଭି.ନାୟାର ଧନ୍ୟବାଦ ଅର୍ପଣ କରିଥିଲେ ।

          ଏହି ଅବସରରେ ବିଭିନ୍ନ ପ୍ରତିଯୋଗତାର କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରିବା ସହ ବନ୍ୟପ୍ରାଣୀ ସଂପର୍କିତ ତିନୋଟି ପୁସ୍ତକ ଉନ୍ମୋଚନ କରିଥିଲେ ଏବଂ Hawk ଆପ୍ ର ଶୁଭାରମ୍ଭ କରିଥିଲେ । ଏତଦ୍ ବ୍ୟତୀତ ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନର ସ୍ୱୀକୃତି ସ୍ୱରୂପ ଡ. ଶରତ ଚନ୍ଦ୍ର ମିଶ୍ରଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା

-୦-

ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *