ବାଲିଗୁଡା ୦୮/୧୦/୨୦୨୫ (ଓଡିଶା ସମାଚାର ) -ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ସିଆରପି ଓ ଅଗ୍ରଣୀ କୃଷକ ମାନଙ୍କୁ ନେଇ ମାଣ୍ଡିଆ ଚାଷ ସଂକ୍ରାନ୍ତିୟ ଚାଲିଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି । ଶାନ୍ତିମୈତ୍ରୀ ସ୍ଵେଛା ସେଵୀ ଅନୁଷ୍ଠାନ ଓ କନ୍ଧମାଳ ଜିଲ୍ଲା ର ଆତ୍ମା ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ମାଣ୍ଡିଆଚାଷ ବାବଦରେ କୃଷି ଅଧିକାରୀ ମାନେ ବିଷଦ ଭାବେ କୃଷକ ମାନଙ୍କୁ ବୁଝାଇଥିଲେ ।
ଆଧୁନିକ ଉନ୍ନତ ମେସିନ ମାଧ୍ୟମରେ ମାଣ୍ଡିଆ ଅମଳକୁ କିଭଳି ଦ୍ଵିଗୁଣିତ କରାଯାଇ ପାରିବ ସେ ସଂକ୍ରାନ୍ତରେ ପ୍ରଶିକ୍ଷଣ ଦିଆଯାଇଥିଲା । ରାଜ୍ୟ ଯୋଜନା ଓ ରୂପାୟନ ବିଭାଗର ସତ୍ୟନାରାୟଣ ରଣା ଶିବିରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଚାଷୀଙ୍କ ଠାରୁ ମୌଳିକ ସୂଚନା ସଂଗ୍ରହ କରିଥିଲେ । ଗ୍ରାମର ଲୋକ ସଂଖ୍ୟା, କେତେ ଜମିରେ କେତେଜଣ ଚାଷୀ ମିଲେଟ ଚାଷ କରିଛନ୍ତି,ଅନ୍ୟ କେଉଁ ଚାଷ କରୁଛନ୍ତି, ସରକାରଙ୍କ ଠାରୁ ପ୍ରୋତ୍ସାହନ ରାଶିପାଇବା ପାଇଁ କିଭଳି ବ୍ୟାଙ୍କ ପାସବୁକ ଅପଟୁଡେଟ କରିବା ପଦ୍ଧତି ବିଷୟରେ ଆଲୋଚନା କରିଥିଲେ ।
ଅମଳ ଫସଲକୁ ମଣ୍ଡିରେ ବିକ୍ରୟ କରି ଉଚିତ ସରକାରୀ ମୂଲ୍ୟ ଯେଭଳି ଚାଷୀ ମାନେ ପାଇପାରିବେ ସେ ବିଷୟରେ ବିଷଦ ଭାବେ ବୁଝାଇଥିଲେ । ଏହି କାର୍ୟ୍ୟ କ୍ରମକୁ ବାଲିଗୁଡା ବ୍ଳକ ସଂଯୋଜକ ଉଦୟନାଥ ନାୟକ ଓ ପ୍ରଭାତ କୁମାର ସାଠୁଆ ପରିଚାଳନା କରିଥିଲେ । ଷୋହଳ ଜଣ ଅଗ୍ରଣୀ କୃଷକ ପ୍ରଶିକ୍ଷଣରେ ଭାଗ ନେଇଥିଲେ ।
