ବଟ ଗୋସେଇଁ ଙ୍କ ଆସ୍ଥାନ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପୀଠ ର ପୁନରୁଦ୍ଧାର ପାଇଁ ବିଧାୟକ ଙ୍କ ପ୍ରତିଶୃତି

                      ବଟମହାପୁରୁଷ ପୀଠରେ ଶ୍ରୀ ରାମନବମୀ ମହୋତ୍ସବ

ଡେରାବିଶ,୨୦/୦୪/୨୦୨୫ (ଓଡ଼ିଶା ସମାଚାର)- ମକୁନ୍ଦୁପୁର ପଞ୍ଚାୟତ ଶ୍ରୀଧରପୁର ଗ୍ରାମର ବଟ ମହାପୁରୁଷ ଗ୍ରାମ୍ୟ କମିଟି,ପବିତ୍ରପଡ଼ା ଆନୁକୂଲ୍ୟରେ ବଟ ଗୋସେଇଁ ପୀଠରେ ଚୈତ୍ର ପୂର୍ଣ୍ଣମୀ ଅବସରରେ ସମ୍ପୂର୍ଣ୍ଣ ରାମାୟଣ ବଚନିକା,ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା । ପବିତ୍ର ଚୈତ୍ର ପୂର୍ଣ୍ଣିମା ରାତିରେ ପାରମ୍ପାରିକ ଦୃଷ୍ଟିରୁ ସୀତା ଚୋରୀ ଉପାଖ୍ୟାନ ମଂଚସ୍ଥ ହୋଇଥିଲା ।

ଏହି ଉପଲକ୍ଷେ ସନ୍ଧ୍ୟାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରଥମେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଅନୁଷ୍ଠାନର ପୁରାତନ  କଳାକାର ଏବଂ ବିଭିନ୍ନ  କ୍ଷେତ୍ରରେ ପ୍ରତିଷ୍ଠିତ  ଚିତ୍ତ ରଞ୍ଜନ ଦାସ, ମହେନ୍ଦ୍ର କୁମାର ଦାସ, ବଜିୟ କୁମାର ନାଥ, କାହ୍ନୁ ଚରଣ ରାଉଳ ଓ କୈଳାସ ଘଡ଼େଇଙ୍କୁ ଅନୁଷ୍ଠାନ ପକ୍ଷରୁ ବିଧାୟକ ଶ୍ରୀ ମହାପାତ୍ର ମାନପତ୍ର, ଉପଢ଼ୌକନ , ପୁଷ୍ପ ମାଲ୍ୟ ଓ ଉତରୀୟ ପ୍ରଦାନ କରି  ସମ୍ମାନିତ କରିଥିଲେ ।

ବିପଦ ସଙ୍କୁଳ ଅବସ୍ଥାରେ ଥିବା ବଟ ଗୋସେଇଁ ଙ୍କ ଆସ୍ଥାନ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପୀଠ ର ପୁନରୁଦ୍ଧାର ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । ଆଜିର ଯୁବ ସମାଜ ବହୁ ଭାବରେ ପଥ ଭ୍ରଷ୍ଟ ହେଉଥିବାବେଳେ ଏହି ଶ୍ରୀ ରାମ ନବମୀ ମହୋତ୍ସବ ଯୁବ ପିଢ଼ିଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରାଇ ପାରୁ ଥିବାରୁ ଗ୍ରାମ୍ୟ କମିଟି କୁ ବିଧାୟକ୍ ଶ୍ରୀ ମହାପାତ୍ର ସାଧୁବାଦ ଜଣାଇଥିଲେ । ଉତ୍ସବରେ ପୂର୍ବତନ ସରପଂଚ ବସନ୍ତ କୁମାର ସାହୁ,ଚାନ୍ଦୋଳ ସରପଂଚ ସୁରେନ୍ଦ୍ର ମଲିକ,ସମାଜସେବୀ ସୁକାନ୍ତ କୁମାର ଦ୍ୱିବେଦୀ ,ମନୋରଂଜନ ଉପାଧ୍ୟାୟ ,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଉତ୍ସବକୁ ଗ୍ରାମ୍ୟ କମିଟିର ସଭାପତି ସ୍ମାରକ ମହାନ୍ତି ପରିଚାଳନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଭରତ ଚନ୍ଦ୍ର ଦାସ,ରଘୁନାଥ ଦାସ,ଗଣେଶ୍ୱର ସାହୁ ,ଅନାମ ଚରଣ ଦାସ ,ବ୍ରଜବନ୍ଧୁ ଦାସ,ସମ୍ପାଦକ ଅଶୋକ କୁମାର ସାହୁ,ଯୁଗ୍ମ ସମ୍ପାଦିକା ସୁଧା ସାଗରୀକା ମହାନ୍ତି ଙ୍କ ସମେତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *