ଆରଏସ୍‌ଏସ୍‌ ର ଶତାଦ୍ଦୀ ବର୍ଷ ତଥା ବିଜୟା ଦଶମୀ ଉତ୍ସବ ପାଳିତ 

ବାଲିଗୁଡା,୦୫/୧୦/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ଶିବମନ୍ଦିର ପ୍ରାଙ୍ଗଣରେ ରବିବାର ଆରଏସ୍‌ଏସ୍‌ ର ଶତାଦ୍ଦୀ ବର୍ଷ ତଥା ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଖଣ୍ଡ ପ୍ରଭାରୀ ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଜିଲା ପ୍ରଚାରକ କର୍ଣ୍ଣ ପ୍ରଧାନ, ସ୍ବାମୀ ପୂର୍ଣ୍ଣାନନ୍ଦ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଆରଏସ୍‌ଏସ୍‌ କର୍ମୀ ଓ ଗ୍ରାମବାସୀଙ୍କୁ ଆରଏସ୍‌ଏସ୍‌ ର ଜନ୍ମ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ମୁଖ୍ୟ ଅତିଥି ତଥା ଜିଲା ମୁଖ୍ୟ ପ୍ରଚାରକ ତାଙ୍କ ବକ୍ତବ୍ୟରେ ନାଗରିକର କର୍ତ୍ତବ୍ୟ ଓ ସାମାଜିକ ସୁରକ୍ଷା ସହ ସମାଜରେ କୌଣସି ଭେଦଭାବ ନ ରଖି କିଭଳି ଏକତ୍ୱବାଦ ହୋଇ ଚଳିବା ସେନେଇ ପରାମର୍ଶ ଦେଇଥିଲେ। ଏହାଛଡ଼ା ମହିଳା ଓ ଯୁବତୀ ମାନଙ୍କ ସୁରକ୍ଷା ଓ ସେମାନଙ୍କ ଚଳନି ସମ୍ପର୍କରେ ଅତିଥି କହିଥିଲେ। କେବଳ ଏତିକି ନୁହେଁ ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷାର ଅନିୟମିତତା, ଅଧିକ ଖରା ଓ ଶୀତ ନ ହେବା କିମ୍ବା ସମୟ ଅନୁସାରେ ନହେବା ଆଦି ଉପରେ ଆଲୋକପାତ କରାଯାଇଥିଲା। ସ୍ବଦେଶୀ ଜିନିଷ ବ୍ୟବହାର କରିବା, ନିଜ ଅଞ୍ଚଳରେ ଜୈବିକ ପଦ୍ଧତିରେ ଚାଷ କରି ତାକୁ ଅମଳ କରି ଖାଇବାକୁ ମୁଖ୍ୟ ଅତିଥି କହିଥିଲେ। ସମାଜରେ ପଞ୍ଚ ପରିବର୍ତ୍ତନ ହେଲେ ଆରଏସ୍‌ଏସ୍‌ ର ବଡ଼ ଆହ୍ବାନ ସଫଳ ହୋଇପାରିବ ବୋଲି କୁହାଯାଇଥିଲା ।

ସେହିପରି ଏହି ଦିବସ ପାଳନ ଅବସରରେ ସମସ୍ତେ ନିଜ ସ୍ବାସ୍ଥ୍ୟକୁ ଠିକ ରଖିବା ପାଇଁ ନିୟମିତ ସକାଳେ ଶାଖାକୁ ଆସିବାକୁ ଜିଲା ପ୍ରଚାରକ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡି ଜଳେଶ୍ୱର ପ୍ରଭାତ ଶାଖାର ବ୍ୟବସ୍ଥା ପ୍ରମୁଖ, ଫ୍ରାଞ୍ଚାଚିଶ ପ୍ରଧାନ,ମଣ୍ଡଳ ସଭାପତି ମିଟୁ ସାହୁ,ପ୍ରଭାକର ସାହୁ, ଅରୁଣ ପ୍ରଧାନ, ବିଷ୍ଣୁ ଚରଣ ପ୍ରଧାନ, ଅଶୋକ ଚୌଧୁରୀ, ସୁଧାକର ଚୌଧୁରୀଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *