ଜଳବିଭାଜିକା କାର୍ଯ୍ୟକ୍ରମ : ଅନୁମୋଦତି ପାଣ୍ଠିର ୮୮% ବ୍ୟବହାର କରିଛି ଓଡ଼ିଶା ।

ଭୁବନେଶ୍ୱର,୦୪/୧୦/୨୦୨୫ (ଓଡ଼ିଶା ସମାଚାର)- ଗ୍ରାମୀଣ ବିକାଶ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ପିଢ଼ିର ଜଳଛାୟା ବିକାଶ ପ୍ରକଳ୍ପ ଯଥା, ପ୍ରଧାନମନ୍ତ୍ରୀ କୃଷି ସିଂଚାୟୀ ଯୋଜନାର ଜଳଛାୟା ବିକାଶ ଅଂଶ ଏବଂ ପିଏମ୍ ଆବାସ ଯୋଜନାର ସମୀକ୍ଷା କରିଥିଲେ । ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।

ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ସ୍ଥିତି ଓ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ସମନ୍ୱିତ ଜଳବିଭାଜିକା ପରିଚାଳନା ମାଧ୍ୟମରେ ବର୍ଷା ଉପରେ ନିର୍ଭର ତଥା ଅବକ୍ଷୟମୁଖୀ ଜମିର ଉତ୍ପାଦନ କ୍ଷମତାକୁ ଉନ୍ନତ କରିବା, ଜୀବିକା ନିର୍ବାହ ଏବଂ ଜଳବିଭାଜିକା ସ୍ଥାୟୀତ୍ୱକୁ ପ୍ରୋତ୍ସାହନ ଦେଇ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ପ୍ରଦାନ କରାଯାଇଥିବା ପାଣ୍ଠିର ୮୮ ପ୍ରତିଶତକୁ ପ୍ରଭାବଶାଳୀ ଭାବରେ ଓଡ଼ିଶା ବ୍ୟବହାର କରିଛି ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା ପାଇଁ ଆବଶ୍ୟକ କିଛି ନୀତିଗତ ସଂସ୍କାର ଯେପରିକି, ଜଳଛାୟା ବିକାଶ ପ୍ରକଳ୍ପ ଅଧୀନରେ ସମତଳ ଅଂଚଳରେ ପ୍ରତି ହେକ୍ଟର ୟୁନିଟ୍ ଖର୍ଚ୍ଚକୁ ୨୨,୦୦୦ ରୁ ୨୬,୦୦୦ କୁ ବୃଦ୍ଧି ଏବଂ ପାହାଡ଼ିଆ ଅଂଚଳ ଅଧୀନରେ ୨୮,୦୦୦ ରୁ ୩୫,୦୦୦ କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଧନ ଧାନ୍ୟ ଯୋଜନା (ଆକାଂକ୍ଷୀ କୃଷି ଜିଲା କାର୍ଯ୍ୟକ୍ରମ) ଅଧୀନରେ ଓଡ଼ିଶାର ୪ଟି ଜିଲା (ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଏବଂ ସୁନ୍ଦରଗଡ଼)କୁ ଅନ୍ତର୍ଭୁକ୍ତ କରିଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକରେ କୃଷି ବିଭାଗ, ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ମୃତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ ନିର୍ଦ୍ଧେଶକ ସୁବ୍ରତ କୁମାର ପଣ୍ଡା ଏବଂ ଓଡ଼ିଶା ସରକାରଙ୍କ କୃଷି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *