ଜିଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

କେନ୍ଦ୍ରାପଡ଼ା, ୦୨/୦୧/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧୃବ ଚରଣ ସାହୁ ମତବ୍ୟକ୍ତ କରିଥିଲେ । ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଜଂଟିଲୋ ଡାକବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳସମ୍ପଦ ବିଭାଜନ, କେନ୍ଦ୍ରାପଡ଼ାର ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥିଭାବେ ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ, ଜିଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, କେ.ବି.କେର ବରିଷ୍ଠ ବୈଜ୍ଞାନିକ ଡ଼. ଅରବିନ୍ଦ ଦାସ, ଉଠା ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଇଂ ଦୁଃଶାସନ ଜେନା, ଜିଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । କୃଷି ଓ କୃଷକମାନଙ୍କ ସଶକ୍ତିକରଣ ନିମନ୍ତେ ପାଣି ପଂଚାୟତ ନିର୍ବାଚନ ଓ ସଦସ୍ୟମାନଙ୍କ ପ୍ରଶିକ୍ଷଣ ଆବଶ୍ୟକ ରହିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଜଳର ସୁପରିଚାଳନା ଓ ଆବଂଟନ ହୋଇପାରିଲେ ଜଳ ସମସ୍ୟା ଜନିତ ଅସୁବିଧା ରହିବ ନାହିଁ । ଜିଲାପାଳ ଜଳ ସରଂକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ନ୍ୟାୟ ସଙ୍ଗତ ଓ ସମାନତା ଭିତିରେ ବିଭିନ୍ନ ଜଳ ବ୍ୟବହାରକାରୀମାନଙ୍କ ମଧ୍ୟରେ ଜଳ ବଂଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାର ଫସଲ ଉତ୍ପାଦନ ହୋଇପାରିବ । ଜଳର ସୁବ୍ୟବହାର ପାଇଁ ବୈ÷ଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା ହୋଇପାରିଲେ କେନ୍ଦ୍ରାପଡ଼ା ଭଳି କୃଷି ପ୍ରଧାନ ଜିଲାରେ କୃଷକମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିବ । ଜଳ ବଂଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଅପୋଷ ସମାଧାନ କରିବା ସହ ସେଚାଳରେ ଥିବା କ୍ଷେତ୍ରନାଳୀ ଓ ନିଷ୍କାସନ ନାଳି ଇତ୍ୟାଦିର ଉତମ ରକ୍ଷଣାବେକ୍ଷଣ ଦ୍ୱାରା ଖରିଫ ଋତୁର ବାଳକ ଜଳକୁ ସଂଚୟ କରି ରବି ଋତୁରେ ଉପଯୋଗ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଫସଲ ବିବିଧି କରଣ, ଅର୍ଥକାରିଫସଲ ଉତ୍ପାଦନ ଓ ଜଳବାୟୁ ଅନୁକୂଳ ଚାଷ ପଦ୍ଧତି ଉପଯୋଗକଲେ କୃଷକ ସମାଜର ଜୀବନ ଜୀବିକାର ମାନବୃଦ୍ଧି ହୋଇପାରିବ । ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୧୬ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୫୦୦,୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଶୁଭ ଉଦ୍ଘାଟନ ପରେ ଭାବଗ୍ରାହୀ କଳାନିକେତନର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ କିଶୋର ପରିଡା ଅତିଥି ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପଶୁ ସମ୍ପଦ, ମସ୍ୟ, କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ସେ ଜାଭିଅର ସ୍କୁଲ, ଗୋପର ୨ ଜଣ ଓ ମଧୁସାଗର ବିଦ୍ୟାପୀଠର ଜଣେ, ମୋଟ ୩ ଜଣ ଛାତ୍ରଙ୍କୁ ଜଳ ସରଂକ୍ଷଣ ସମ୍ପର୍କିତ ପ୍ରୋଜେକ୍ଟ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ପାଣି ପଂଚାୟତର ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଜନର ସହକାରୀ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *