କେନ୍ଦ୍ରାପଡ଼ା,୧୬/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ ଗୁଣ୍ଡୁଚି ବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଘାଟିତ ହୋଇଯାଇଛି । ଏହି ଯଜ୍ଞକୁ ଉଦଘାଟନ କରି ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପାଂଚ ମହାଯଜ୍ଞର ବର୍ଣ୍ଣନା କରି କହିଲେ ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ ଓ ସେବାଯଜ୍ଞ କରିଲେ ଦେଶର ମଙ୍ଗଳ ହେବା ସହିତ ଭଲ ବର୍ଷା ହୋଇପାରିବ । ଫଳରେ ଧରିତ୍ରୀ ଶସ୍ୟଶାମଳା ହୋଇ ଭଲ ଫଳ ଫଳିବ, ବାୟୁମଣ୍ଡଳ ସୁଦ୍ଧ ହେବ ଓ ସୁଦ୍ଧ ବାତାବରଣ ହେବ ।
ଏହାଦ୍ୱାରା ସୁସ୍ଥ ଜୀବନ ଗଠନ ହେବ । ସୁସ୍ଥ ଜୀବନ ହେଲେ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ । ତେଣୁ ଯଜ୍ଞ କଲେ ପୃଥିବୀ ପୃଷ୍ଟରେ ଶାନ୍ତି ବଜାୟ ରହିପାରିବ । ଦେଶର ମଙ୍ଗଳ ବିଧାନ ପାଇଁ ଋଷିମୁନୀମାନେ ଅତୀତରେ ଯଜ୍ଞ କରୁଥିଲେ । ତେଣୁ ସମସ୍ତେ ଏକତ୍ରିତ ହୋଇ ଯାଗଯଜ୍ଞ କରନ୍ତୁ ଏହାଦ୍ୱାରା ସୁସ୍ଥ ପୃଥିବୀ, ସୁସ୍ଥ ସମାଜ, ସୁସ୍ଥ ପରିବେଶ ଓ ସୁସ୍ଥ ମନୁଷ୍ୟ ସୃଷ୍ଟି ହୋଇପାରିବେ ବୋଲି ଶ୍ରୀମା କହିଥିଲେ । ଏହି ଯଜ୍ଞରେ ଦୁତିଆଳ ଗ୍ରାମବାସୀବୃନ୍ଦ, ସାଧୁସନ୍ୟାସୀ ଓ ଭକ୍ତଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ । ଯଜ୍ଞ କମିଟି ଓ ଗୁଣ୍ଡୁଚି ବଟର ମାତାଜୀଙ୍କ ସହଯୋଗରେ ଏହି ଯଜ୍ଞର ଶୁଭାରମ୍ଭ କରାଯାଇଥିଲା । ଶେଷରେ ଦ୍ରୌପଦୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
