ଭସାଣି ଉତ୍ସବକୁ ନେଇ କମିସନରେଟ୍ ପୋଲିସର ଗାଇଡ଼ଲାଇନ

ଭୁବନେଶ୍ୱର,୦୧/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ସହରରେ ଦୁର୍ଗାପୂଜା ଭସାଣି ଉତ୍ସବକୁ ନେଇ କମିସନରେଟ୍ ପୋଲିସ ଗାଇଡ଼ଲାଇନ ଜାରି କରିଛି । ଭୁବନେଶ୍ୱର ସହରରେ ୪ଟି ରାସ୍ତାରେ ୪ଟି ଭସାଣି କମିଟିର ଭସାଣି ଉତ୍ସବ ପାଳନ କରାଯିବ । ଭୁବନେଶ୍ୱର ଭସାଣି ଉତ୍ସବ କମିଟି ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି- ନୟାପଲ୍ଲୀ, ଉତର ଭୁବନେଶ୍ୱର ଭସାଣି କମିଟି- ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ ଭସାଣି କମିଟି ।

ଏହି ଭସାଣି ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ୩ ତାରିଖ ଅପରାହ୍ନ ୨ ଘଟିକା ଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ସହିଦ ନଗର ଭସାଣି କମିଟିର ସମସ୍ତ ମେଢ ସହିଦ ନଗରରେ ଏକତ୍ରିତ ହୋଇ ସେଠାରୁ ଭାୟା ରାମ ମନ୍ଦିର ଛକ, ମାଷ୍ଟର କ୍ୟାନ୍ଟିନ୍ ଛକ ଦେଇ ରାଜମହଲ ଯିବେ । ନୟାପଲ୍ଲୀ ଭସାଣି କମିଟିର ସମସ୍ତ ମେଢ ନୟାପଲ୍ଲୀରେ ଏକତ୍ରିତ ହୋଇ ସେଠାରୁ ସିଆରପି ଛକ ଭାୟା ନୟାପଲ୍ଲୀ ଅଣ୍ଡରପାସ୍, ସିଆରପି ଛକ, ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ, ସିରିପୁର ଛକ ହୋଇ ଯିବେ ।

ଶୋଭାଯାତ୍ରା ସମୟରେ, ସିଆରପି ଛକ ପାର୍ଶ୍ୱରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ସିଆରପି ଛକ ଠାରୁ ଏକାମ୍ର ପାର୍କ ରାସ୍ତା ଦେଇ ଯାଇପାରିବେ । ଏହି ଟ୍ରାଫିକ୍ ନିୟମ ଅପରାହ୍ନ ୨ ଘଟିକା ଠାରୁ ଭସାଣି ଯାତ୍ରା ଶେଷ ହେବ ପର୍ଯ୍ୟନ୍ତ ଲାଗୁ କରାଗଲା । ଏହି ସମୟରେ ଷ୍ଟୁଆର୍ଟ ସ୍କୁଲ୍ ରାସ୍ତା, ୟୁନିଟ୍-୮ ରାସ୍ତା, ଓୟୁଏଟି ଛକ – ନିୟୁ ଏୟାରପୋର୍ଟ ରାସ୍ତାରେ ଯାତାୟତ କରୁଥିବା ଯାନବାହାନ ଗୁଡିକ ଏହାର ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ । ଚନ୍ଦ୍ରଶେଖରପୁର ଭସାଣି କମିଟିର ସମସ୍ତ ମେଢ଼ କ୍ଲବ ଟାଉନ ଆପର୍ଟମେଂଟ ପଡିଆରେ ଏକତ୍ରିତ ହୋଇ ସେଠାରୁ ନାଲକୋ ଛକ ହୋଇ ଯିବେ ।

ଶୋଭାଯାତ୍ରା ସମୟରେ, ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଯାନବାହାନ ଗୁଡ଼ିକକୁ କିଟ୍ କିମ୍ବା କଳାରାହାଙ୍ଗ ଛକ ଠାରେ ଥିବା ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ । ଏହି ଟ୍ରାଫିକ୍ ନିୟମ ଅପରାହ୍ନ ୨ ଘଟିକା ଠାରୁ ଭସାଣି ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଗଲା । ଉପରୋକ୍ତ ବ୍ୟତୀତ, ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାରେ ଅନ୍ୟ ପୂଜା କମିଟି ମାନଙ୍କ ଦ୍ୱାରା ବ୍ୟକ୍ତିଗତ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *